ରାଜ୍ୟରୁ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ସେଥିପାଇଁ ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ୟରେ ଓଡିଶା ପୋଲିସ । ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ କରାଯାଇଛି । ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ କରାଯାଉଛି ନଷ୍ଟ । ରାଜ୍ୟ ପୋଲିସ୍, ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଏବେ ଗଞ୍ଜେଇ ନଷ୍ଟ କରିବା ନେଇ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ । ଡିଜିପି ଖୁରାନିଆ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି, ରାଜ୍ୟରେ ୯ଟି ଜିଲ୍ଲାରେ ସର୍ବାଧିକ ଗଂଜେଇ ଚାଷ ହେଉଛି । ଡ୍ରୋନ୍ ଓ ସାଟେଲାଇଟ୍ ମାଧ୍ୟମରେ ଗଞ୍ଜେଇ ଚାଷ ନେଇ ତଥ୍ୟ ମିଳିବା ପରେ ଫସଲକୁ ନଷ୍ଟ କରାଯାଉଛି । ବିଶେଷ କରି ଜଙ୍ଗଲ ଜମି ଓ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଉଛି । ଗତ ୨୪ ଦିନ ମଧ୍ୟରେ ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଜରିଆରେ ୨୩୭୫ ଏକର ଜମିରେ ୨୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ରାୟଗଡ଼ା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ ଓ ଗଜପତିରେ ଚାଷ ନେଇ ମୋଟ ୫୫ଟି ମାମଲା ରୁଜୁ ହୋଇଛି । ରାୟଗଡ଼ା (୬୯), ମାଲକାନଗିରି (୧୬୧), କୋରାପୁଟ (୧୫୩), ବୌଦ୍ଧ (୯୫୯), କନ୍ଧମାଳ (୯୨୦) ଓ ଗଜପତି (୧୧୩) ଏକର ଗଞ୍ଜେଇ ଚାଷ ଜମି ନଷ୍ଟ କରାଯାଇଛି । ସେହିପରି ୫୪ଟି ଗଂଜେଇ ଚାଲାଣ ନେଇ ମାମଲା ରୁଜୁ ହୋଇଥିବାବେଳେ ଏଯାବତ ୫୩୦୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ପରିବହନ ସମୟରେ ଟ୍ରକ୍, ପିକ୍ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ ୨୦ ଟି ଯାନ ଏବଂ ୧୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ୧୦୨ ଜଣଙ୍କୁ ଗିରଫ କରାଯାଇଛି । ଡିଜିପି ୱାଇ ବି ଖୁରାନିଆ ଆଉ ମଧ୍ୟ କହିଛନ୍ତି ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ଅମଳଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ -୨୦୨୫ ପର୍ୟ୍ୟନ୍ତ ଜାରି ରହିବ । ଗତ ବର୍ଷ ଓଡିଶା ପୋଲିସ ପ୍ରାୟ ୧୦,୫୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରି ଥିଲା ବେଳେ,ଏହି ବର୍ଷ ଆମେ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ଆମର ପ୍ରୟାସ ଜାରି ରଖିବୁ। ରାଜ୍ୟରୁ ମାଓବାଦୀ ଓ ଗଞ୍ଜେଇ ଚାଷର ମୂଳପୋଛ ପାଇଁ ଲକ୍ଷ୍ୟ ରଖାଯାଇଛି । Post navigation ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ ପର୍ଥ ଟେଷ୍ଟ ଜିତିଲା ଭାରତ