କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ କିରାଣୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ସିଡିପିଓ ସ୍ନେହଲତା ସାହୁ । ତାଙ୍କର ଅବହେଳା ଯୋଗୁଁ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଅଭିଯୋଗ ପରେ ଆକ୍ସନ ମୋଡ଼ରେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯିବା ସହ ଏହି ମାମଲାରେ ନିରପେକ୍ଷ ତଦନ୍ତ କରିବାକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ । ଏହା ସହ ନିରପେକ୍ଷ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷରେ ଏହି ମାମଲାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍ ବ୍ଲକରେ ପହଞ୍ଚିଥିବାର ସୂଚନା ମିଳିଛି।

ସୂଚନଯୋଗ୍ୟ; କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବାବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। ଡେରାବିଶ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ମେଡିକାଲ ନେବା ତଥା ଆମ୍ବୁଲାନ୍ସ ଡାକିବା ବଦଳରେ ବର୍ଷାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ଯାହା ଫଳରେ ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ପରିବାର ପକ୍ଷରୁ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *