ବାତ୍ୟା ‘ଦାନା’ର ତାଣ୍ଡବ ଏବଂ ତାର ଭୀମକାନ୍ତ ରୂପ ରଚିଥିଲା ବଙ୍ଗୋପସାଗର ତଟବର୍ତ୍ତୀ ଗହୀରମଥା ସନ୍ନିକଟରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ନେଚର କ୍ୟାମ୍ପରେ ଥିବା କଟେଜଗୁଡ଼ିକ ଛାରଖାର ହୋଇଯାଇଛି । ପାଣି ପାଗ ବିଭାଗର ସଠିକ୍ ଆକଳନ ଅନୁସାରେ ବାତ୍ୟା ଦାନା ହବାଳିଖଟିରେ ହିଁ ତାର ପ୍ରଥମ ତାଣ୍ଡବ ଆରମ୍ଭ କରିଥିଲା। ପ୍ରଚଣ୍ଡ ବେଗରେ ପବନ ସାଙ୍ଗକୁ ସାମୁଦ୍ରିକ କୂଆର ନେଚର କ୍ୟାମ୍ପକୁ ଏକ ପ୍ରକାର ମାଟିରେ ମିଶାଇ ଦେଇଥିଲା।
ନେଚର କ୍ୟାମ୍ପରେ ନିର୍ମାଣ କରାଯାଇଥିବା କଟେଜ୍ ଗୁଡିକ ଭାଙ୍ଗୁରୁଜି ଯିବା ସହିତ କଟେଜର ତଳୁ ୧୦ ଫୁଟ ଉଚ୍ଚର ମାଟି ଧୋଇଯାଇଛି । କଟେଜ୍ର ଝରକା କବାଟଗୁଡିକୁ ମଧ୍ୟ ଭାଙ୍ଗି ଦେଇଛି। ହବାଳିଖଟିରେ ଥିବା ବିଭିନ୍ନ ଲୁଣା ଜାତୀୟ ଗଛଗୁଡିକୁ ମଧ୍ୟ ଭାଙ୍ଗି ଦେଇଛି। ହବାଳିଖଟିରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ଯୋଗୁଁ ବନବିଭାଗର ହବାଳିଖଟିରେ ନିର୍ମାଣ କରାଯାଇଥିବା ନେଚର କ୍ୟାମ୍ପ ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି । ଦାନାର ପ୍ରକୋପ ଯୋଗୁଁ ସମୁଦ୍ର ପ୍ରାୟ ୧୫ ଫୁଟ ପର୍ଯ୍ୟନ୍ତ ନେଚର କ୍ୟାମ୍ପକୁ ଅତିକ୍ରମ କରିଛି। ଯାହା ଫଳରେ ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ଜଣାପଡ଼ିଛି ।
ବାତ୍ୟା ଦାନାର ପ୍ରଭାବରେ ହବାଳିଖଟି ସହିତ ଓ୍ୱାଟାଓ୍ବାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଦାନା ହବାଳିଖଟିରେ ସିଧାସଳଖ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ସେଠାରେ ଥିବା ନେଚର କ୍ୟାମ୍ପରେ କାର୍ଯ୍ୟରତ ବନକର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା । ଭିତରକନିକା ଜାତୀୟ ଉଦ୍ୟାନରେ ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରାଯିବା ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ୨୭ ଓ ୨୮ ଦୁଇଦିନ ଧରି ପର୍ଯ୍ୟଟକମାନଙ୍କ ପରିଭ୍ରମଣ ପାଇଁ ବନ୍ଦ ରଖାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।