ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ତ୍ତମାନର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ସରିବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ଚାଳିତବର୍ଷ ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବ ବୋଲି ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ପରିଚାଳନା କମିଟି ଗଠନ ସମୟରେ ଗାଇଡ୍ ଲାଇନରେ ସ୍ବଚ୍ଛତା ରଖିବାକୁ ଆଇନ ବିଭାଗ ତରଫରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

ଆଇନ ବିଭାଗ ପକ୍ଷରୁ କୁହାଯାଇଛି ଶ୍ରୀମନ୍ଦିରରେ ନୂଆ ପରିଚାଳନାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯିବ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଏବେ ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାରସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ତାଲିକା ଆଇନ ବିଭାଗକୁ ସନ୍ତୁଷ୍ଟ କରିନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟରେ ରଖି ବିଧି ବ୍ୟବସ୍ଥା ଆପଣାଇବାକୁ ୮ ସୂତ୍ରୀ ଦେଇଛି ଆଇନ ବିଭାଗ।

 

୮ ସୂତ୍ରୀ ପ୍ରସ୍ତାବ ହେଲା

  • ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡ଼ିତ ନିଯୋଗମାନେ ଦୁଇଜଣଙ୍କ ନାଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସୁପାରିଶ କରିବେ ସେଥିରୁ ୧୦ ଜଣ ସଦସ୍ୟଙ୍କ ନାଁକୁ ମୁଖ୍ୟ ପ୍ରଶାସକ ପ୍ରସ୍ତୁତ କରିବେ
  •  ଯେଉଁମାନଙ୍କର ଅତୀତରେ ଉତ୍ତମ ସେବାପୂଜା ପରିଚାଳନାରେ ଅଭିଜ୍ଞତା ଥିବ, ସେବାୟତ ତଥା ସେବାୟତ ନିଯୋଗ ସହ ଉତ୍ତମ ସମନ୍ୱୟ ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ରହିଥିବ
  • ଯଦି ନାଁ ମନୋନୟନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦ୍ଵନ୍ଦରେ ରୁହନ୍ତି ତେବେ ଲଟେରୀ ବା ଗୁଳା ପକାଇବା ବ୍ୟବସ୍ଥା ଆପଣାଇ ପାରିବେ
  • ସେବାପୂଜା ସହ ଅଧିକ ଜଡ଼ିତ ନିଯୋଗର ପ୍ରତିନିଧିଙ୍କୁ କ୍ରମାନ୍ୱୟରେ ସୁଯୋଗ ମିଳିବ
  • କୌଣସି ନିଯୋଗରୁ ଦୁଇ ଜଣ ସଦସ୍ୟଙ୍କ ନାଁ ବିଚାରକୁ ନିଆଯିବ ନାହିଁ
  • କୌଣସି ବ୍ୟକ୍ତିଙ୍କ ନାଁ ଦ୍ଵିତୀୟଥର ସୁପାରିଶ ହେବନାହିଁ
  • ନାଁ ସୁପାରିଶ ବେଳେ ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ନିଜସ୍ଵ ମତାମତ ଗୁପ୍ତ ରଖିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
  • ଶେଷରେ ସୁପାରିଶକୁ ଦୃଷ୍ଟିରେ ରଖି ଆଇନଗତ ବ୍ୟବସ୍ଥା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ ଆଇନବିଭାଗ

Leave a Reply

Your email address will not be published. Required fields are marked *