ବିଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ହେବ ତଦନ୍ତ। ରାଜଧାନୀର ଛାତିରେ ବେଆଇନ ଭାବେ ବିଜେଡିର ଶଙ୍ଖ ଭବନ ନିର୍ମାଣ ହୋଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ସେ କହିଛନ୍ତି ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦିଆ ଯାଇଛି।

ଅଭିଯୋଗ ଅନୁସାରେ, ସଡ଼କ କିସମ ‘ସଡ଼କ’ କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଜେଡି ଅଫିସ୍ ସୌଧ । ୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ଶଙ୍ଖ ଭବନ। ପୂର୍ବ ସରକାରର ଅଘୋଷିତ ମୁଖିଆ ଓ ଦଳର ସାଂଗଠନିକ ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଉକ୍ତ ସାଂଘାତିକ ବେଆଇନ କାର୍ଯ୍ୟ ଅନାୟାସରେ କରାଯାଇ ଅଭିଯୋଗ ହୋଇଥିଲା । ଅନୁସନ୍ଧାନ ବେଳେ ଏହି ଗର୍ହିତ କାର୍ଯ୍ୟର ସବୁ ଦସ୍ତାବିଜ୍ ‘ମିଡ ଡେ ଓଡ଼ିଶା’ ର ହସ୍ତଗତ ହୋଇଛି ।

ଏହି ଜାଗାଟିକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି । ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଡ୍ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ।

ଏହି ପ୍ଲଟ୍ କୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମିତ ହୋଇଛି । ତାହା ପୁଣି ସରକାରଙ୍କ ଅନୁମୋଦନରେ । ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି(ବିଜେଡି) କୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି ।

ସେହିପରି ଏହି ଜାଗା ଉପରେ ଥିବା କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟାଙ୍କନରେ ମଧ୍ୟ ସାଂଘାତିକ ଅଭିଯୋଗ କରାଯାଇଛି । ଏହି ସମ୍ପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିଲା ବେଳେ ବେଞ୍ଚ ମାର୍କ ଦରଠାରୁ କମ୍ ଦରରେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ଦେଇ ଦିଆଯାଇଛି ।

ଅତି ଯୋଜନାବଦ୍ଧ ଭାବେ ଏହି ୪ଟି ପ୍ଳଟ୍ କୁ ବିଜୁ ଜନତା ଦଳ ହାତରେ ଟେକି ଦିଆଯାଇଛି । ସେଥିପାଇଁ ସବୁ ବେଆଇନ କାର୍ଯ୍ୟକୁ ଅତି ଚତୁରତାର ସହ ଆପଣାଯାଇଛି । ଏହି କାରସାଦିରେ କିଭଳି ସରକାରୀ କଳକୁ ବ୍ୟବହାର କରାଯାଇଛି ତାହା ଗୋଟି ଗୋଟି କରି ଉଲ୍ଲେଖ ହୋଇଛି । ଯାହାର ସବୁ ଦସ୍ତାବିଜ୍ ସରକାରଙ୍କ ହସ୍ତଗତ ହୋଇଛି ।

Leave a Reply

Your email address will not be published. Required fields are marked *