ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଘରକୁ ଘର (Door-to-Door) ସର୍ଭେ କାର୍ଯ୍ୟର ସମୟସୀମା ବୃଦ୍ଧି କରାଯାଇଛି। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଏହି ତିନି ଜିଲ୍ଲାରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ସର୍ଭେ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ସର୍ଭେ ଶେଷ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କମିଶନଙ୍କ ନଜରକୁ ଆସିଥିଲା। ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେରେ ସାମିଲ କରିବା ସହ ଏହାର ସଠିକତା ଓ ସମ୍ପୂର୍ଣ୍ଣତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କମିଶନ ଏହି ସମୟସୀମା ବୃଦ୍ଧି କରିଛନ୍ତି। ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୧, ୨୦୨୬ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ସର୍ଭେ ଜାରି ରହିବ। ପୂର୍ବରୁ ସର୍ଭେ ଶେଷ କରିବାର ଶେଷ ତାରିଖ ଅକ୍ଟୋବର ୭, ୨୦୨୬ ରହିଥିଲା। ଏନେଇ ସମ୍ପୃକ୍ତ ତିନି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଭେରେ ନିୟୋଜିତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି। ଏହି ସମୟସୀମା ବୃଦ୍ଧି କେବଳ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ। ଘରକୁ ଘର ସର୍ଭେ ସମ୍ପର୍କରେ କମିଶନଙ୍କ ପକ୍ଷରୁ ପୂର୍ବରୁ ଜାରି ଅନ୍ୟ ସମସ୍ତ ନିର୍ଦ୍ଦେଶାବଳୀ ଅପରିବର୍ତ୍ତିତ ରହିବ । Post navigation Dr. Ashok Mahapatra Remains Critical: ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର Godabarisha Vidyarthi Protsahana Yojana: ମେଧାବୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କାର ଲ୍ୟାପଟପ୍ ସହାୟତା ଦେବେ ଓଡ଼ିଶା ସରକାର