ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନଭେମ୍ବର ୧, ୨୦୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର କେତେଜଣ ବରିଷ୍ଠ ଆଇପିଏସ୍ ଏବଂ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯିବା ସହ ସେମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ତଥା କାରାଗାର ଏବଂ ସଂଶୋଧନାଗାର ସେବାର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସୁସାନ୍ତ କୁମାର ନାଥଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭୁବନେଶ୍ୱର ଏସ୍.ଏଫ୍.ଏସ୍.ଏଲ୍.ର ନିର୍ଦ୍ଦେଶକ ତଥା ୧୯୯୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଡା. ସନ୍ତୋଷ ବାଲା ଅତିରିକ୍ତ ଡି.ଜି., କାରାଗାର ଏବଂ ନିର୍ଦ୍ଦେଶକ, ସଂଶୋଧନାଗାର ସେବାର ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ମିଳିଛି। ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ପୂର୍ବଭଳି ଓଡ଼ିଶାର ପରିବହନ କମିଶନର ଭାବେ କାର୍ଯ୍ୟ ଜାରି ରଖିବେ। ଅନ୍ୟପକ୍ଷରେ, ଭୁବନେଶ୍ୱର ଏସ୍.ଏ.ପି.ର ଅତିରିକ୍ତ ପୋଲିସ ଡି.ଜି. ତଥା ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ରାଜେଶ କୁମାର ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଚାଲୁ ରଖିବେ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସାରା ଶର୍ମାଙ୍କୁ ଭିଜିଲାନ୍ସର ଡି.ଆଇ.ଜି. ଭାବେ ନିଯୁକ୍ତି ଦିଆଯାଇଛି।

ଏହାବ୍ୟତୀତ ଝାରସୁଗୁଡ଼ାର ଏସ୍.ପି. ଥିବା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର ଏ.ଆଇ.ଜି. ଭାବେ ବଦଳି କରାଯାଇଥିବାବେଳେ, ନୂଆପଡ଼ା ଏସ୍.ପି. ଥିବା ଅମ୍ରିତପାଲ ସିଂହଙ୍କୁ ମଧ୍ୟ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଖୋର୍ଦ୍ଧାର ଅତିରିକ୍ତ ଏସ୍.ପି. ଥିବା ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ାର ନୂତନ ଏସ୍.ପି. ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର ଏ.ଆଇ.ଜି. ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଜିଲ୍ଲାର ଏସ୍.ପି. ଭାବେ ଅବସ୍ଥାପିତ କରାଯାଇଛି।

Leave a Reply

Your email address will not be published. Required fields are marked *