ସାମୁଦ୍ରିକ ଝଡ଼ ବାତ୍ୟା ପ୍ରଭାବରେ ବ୍ରହ୍ମପୁର ସହରରେ ସୃଷ୍ଟି ହୋଇଥିବା ଜଳ ସଙ୍କଟର ସ୍ଥାୟୀ ପ୍ରତିକାର ତଥା ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରବାସୀଙ୍କ ଜଳକଷ୍ଟ ଦୂର କରିବା ସହ ସେମାନଙ୍କ ଅସୁବିଧାକୁ ଯଥାସମ୍ଭବ କମ୍ କରିବା ପାଇଁ ଗୋଟିଏ ପଟେ ବିକଳ୍ପ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟପଟେ କ୍ଷତିଗ୍ରସ୍ତ ଯାନିବିଲି ଇନଟେକ୍‌ର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନିଆଯାଉଛି।

ନଭେମ୍ବର ୧ ତାରିଖ ସକାଳ ୧୦ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ସହରର ଦୈନନ୍ଦିନ ୯୦ ମିଲିୟନ ଲିଟର (ଏମ.ଏଲ.ଡି.) ପାନୀୟ ଜଳ ଆବଶ୍ୟକତା ତୁଳନାରେ ବର୍ତ୍ତମାନ ସୁଦ୍ଧା ୭୦ ଏମ.ଏଲ.ଡି. ଜଳ ଯୋଗାଇ ଦିଆଯାଉଛି। ଏହି ମୋଟ ଯୋଗାଣ ମଧ୍ୟରେ ଭୂପୃଷ୍ଠ ଜଳ ଉତ୍ସରୁ ୬୪ ଏମ.ଏଲ.ଡି. ଏବଂ ଅତିରିକ୍ତ ଜଳ ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟକ୍ଷମ କରାଯାଇଥିବା ୧୫ଟି ଉତ୍ପାଦନ କୂଅରୁ ୬ ଏମ.ଏଲ.ଡି. ଜଳ ସଂଗ୍ରହ କରାଯାଉଛି। ଏହା ସହିତ ସହରର ବିଭିନ୍ନ ପ୍ରଭାବିତ ଓ ଅପହଞ୍ଚ ଅଞ୍ଚଳରେ ଜଳ ବଣ୍ଟନକୁ ସୁଗମ କରିବା ପାଇଁ ୧୨ଟି ବେସରକାରୀ ଟ୍ୟାଙ୍କର ସମେତ ମୋଟ ୨୦ଟି ୱାଟର ଟ୍ୟାଙ୍କର ନିୟୋଜିତ କରାଯାଇଛି।

ବାତ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିଆଗରେ ରଖି ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଜଳ ବିଶୋଧନ ପ୍ରକଳ୍ପଗୁଡ଼ିକରେ କ୍ଲୋରିନେସନ୍ ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି। ପ୍ରି-କ୍ଲୋରିନେସନ୍‌କୁ ୪ ପିପିଏମ୍, ପୋଷ୍ଟ-କ୍ଲୋରିନେସନ୍‌କୁ ୧୦ ପିପିଏମ୍ ଏବଂ ଜଳ ପାଇପ୍ ଲାଇନ୍‌ର ଶେଷ ପ୍ରାନ୍ତରେ ୨ ପିପିଏମ୍ କ୍ଲୋରିନେସନ୍ ସୁନିଶ୍ଚିତ କରାଯାଉଛି, ଯାହା ଦ୍ୱାରା ଜଳର ଗୁଣବତ୍ତା ବଜାୟ ରହିବା ସହ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଯାଇପାରିବ। ସେହିପରି ଅନ୍ୟ ପାଶ୍ୱବର୍ତ୍ତୀ ସହର ହିଞ୍ଜିଳିକାଟୁ ଏବଂ ଗୋପାଳପୁରରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ଓ ସୁରୁଖୁରୁରେ ଚାଲୁ ରହିଛି।

ଖାଲି ସେତିକି ନୁହେଁ, ପ୍ରମୁଖ ଜଳ ଉତ୍ସ ଯାନିବିଲି ଇନଟେକ୍‌ର ପୁନଃସ୍ଥାପନ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ନଭେମ୍ବର ୧ ତାରିଖ ସକାଳ ୫ଟାରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ଇନଟେକ୍ ପଏଣ୍ଟ ନିକଟସ୍ଥ କନେକ୍ଟିକଟ୍ ନାଳଠାରେ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାୟ ୨୦,୦୦୦ ବାଲିବସ୍ତା ସାହାଯ୍ୟରେ ଏକ ଅସ୍ଥାୟୀ ବାଲିବନ୍ଧ ନିର୍ମାଣ କରାଯାଉଛି। ଏହି ଅସ୍ଥାୟୀ ଗଠନ ଦ୍ୱାରା ପ୍ରବଳ ଜଳସ୍ରୋତକୁ ଅଟକାଯାଇ ଇନଟେକ୍ ଭିତ୍ତିଭୂମିର ସଫେଇ, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସହଜ ହୋଇପାରିବ। ଏହି ବିଶାଳ ଯୁଦ୍ଧକାଳୀନ ଅପରେସନ୍ ପାଇଁ ୧୨୦ ଜଣ ଶ୍ରମିକ, ୩ଟି ଏକ୍ସକଭେଟର ଏବଂ ୨ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି। ରାତ୍ରିକାଳୀନ କାର୍ଯ୍ୟ ସହ ଅବିରତ ସେବା ଜାରି ରଖିବା ପାଇଁ ନିୟୋଜିତ କର୍ମଚାରୀଙ୍କ ନିମନ୍ତେ ଆଲୋକ, ବିଦ୍ୟୁତ୍, ରହିବା ସ୍ଥାନ, ଖାଦ୍ୟ ଓ ପାନୀୟ ଜଳର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

ଏହି ଜରୁରୀକାଳୀନ ପୁନଃସ୍ଥାପନ ଓ ପରିଚାଳନା କାର୍ଯ୍ୟକୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଡ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଦାକୁଆ ଏବଂ ୱାଟକୋ (WATCO) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି ସ୍ୱୟଂ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି। କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯିବା ସହ ବ୍ରହ୍ମପୁର ମହାନଗର ନିଗମ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପୌରସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରଶାସନିକ, କାର୍ଯ୍ୟକ୍ଷମ ଓ ଆର୍ଥିକ ସ୍ୱାଧୀନତା ପ୍ରଦାନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶାଳୟର ସର୍ବୋଚ୍ଚ ଅଧିକାରୀମାନେ ଏହି ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଖୁବ୍ ଶୀଘ୍ର ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ସ୍ୱାଭାବିକ ଜଳ ଯୋଗାଣ ପୁନଃସ୍ଥାପିତ ହେବ ବୋଲି ଆଶ୍ୱାସନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *