ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ପ୍ରଦାନ ଅବସରରେ ଆଜି ‘ପିଏମ୍ କିଷାନ୍ ଉତ୍ସବ ଦିବସ’ ପାଳିତ ହେଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।

ଏହି ଯୋଜନା ଜରିଆରେ ରାଜ୍ୟର ୩୫,୩୯,୨୯୭ ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ମୋଟ ୭୦୭.୮୫ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଉଛି। ପ୍ରତ୍ୟେକ ଚାଷୀ ଏହି ଯୋଜନା ଅଧୀନରେ ୨,୦୦୦ ଟଙ୍କା ଲେଖାଏଁ ପାଇଛନ୍ତି।

ଏହି ଅବସରରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ମାଧ୍ୟମରେ ପିଏମ୍ କିଷାନ ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଏହି ଯୋଜନାରେ ଭୂମିହୀନ, କ୍ଷୁଦ୍ର, ବୃହତ୍ ଏବଂ ସହରାଞ୍ଚଳର ଦୁର୍ବଳ ବର୍ଗର ଚାଷୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

ସେ ଆଉ ମଧ୍ୟ କହିଛନ୍ତି ପିଏମ୍ କିଷାନ ଯୋଜନାରେ ଲାଭବାନ ହେବା ପାଇଁ ଏଗ୍ରୀଷ୍ଟାକ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ଅଟେ। ଯେଉଁମାନେ ‘ସିଏମ୍ କିଷାନ’ର ଲାଭ ପାଉଛନ୍ତି, ସେମାନେ ମଧ୍ୟ ଆବଶ୍ୟକୀୟ ଦସ୍ତାବେଜ ପ୍ରଦାନ କରି ଏହାର ଲାଭ ଉଠାଇପାରିବେ। ପ୍ରଧାନମନ୍ତ୍ରୀ ସମସ୍ତ ଚାଷୀ ଭାଇମାନଙ୍କୁ ‘ଅନ୍ନଦାତା’ ଭାବରେ ସମ୍ମାନିତ କରିଛନ୍ତି।  ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସେମାନଙ୍କ କୃଷି ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଏକାନ୍ତ ଜରୁରୀ ଓ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ କହିଛନ୍ତି ପିଏମ୍ ଏବଂ ସିଏମ୍ କୃଷି ଯୋଜନା ମାଧ୍ୟମରେ ଆମ ରାଜ୍ୟର ଚାଷୀମାନେ ମୋଟ ୧୦ ହଜାର ଟଙ୍କା ପାଉଛନ୍ତି, ଯାହାକି ସମସ୍ତ ରାଜ୍ୟର ଚାଷୀମାନେ ପାଆନ୍ତି ନାହିଁ। କୃଷି କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ ଏବଂ ଦୁର୍ବଳ ଥିବା ଚାଷୀଙ୍କୁ ସ୍ୱତନ୍ତ୍ର ଭାବେ ଖୋଜି ଏଥିରେ ସାମିଲ କରାଯାଉଛି। ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି, ଯାହା ଗତ ବର୍ଷ ଅପେକ୍ଷା ଅଧିକ ଅଟେ।ପୂର୍ବ ସରକାରଙ୍କ ସମୟରେ ଚାଷୀଙ୍କ ଆୟ ମାତ୍ର ୪ ହଜାର ଟଙ୍କା ରହିଥିବାବେଳେ ବର୍ତ୍ତମାନ ଏଥିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

Leave a Reply

Your email address will not be published. Required fields are marked *