ଦିଲ୍ଲୀରେ ତ୍ରିରଙ୍ଗା ଯାତ୍ରା କରିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ପୋଲିସ ତାଙ୍କ ବାସଭବନରୁ ଅଟକ ରଖିଛି । କନଟ୍ ପ୍ଲେସ୍ର ସେଣ୍ଟ୍ରାଲ ପାର୍କରେ ‘ଲେହରା ଦୋ ତିରଙ୍ଗା’ ରାଲି କରିବାକୁ ସେ ଯୋଜନା କରିଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଦୀପକେ ଦ୍ୱିତୀୟ ଥର ପାଇଁ ଅଟକ ହୋଇଛନ୍ତି । ଏହା ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ଅନିୟମିତତା ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ ମୁମ୍ବାଇରୁ ଦିଲ୍ଲୀ ଆସିବା ପରେ ତାଙ୍କୁ ଅଟକ ରଖାଯାଇଥିଲା । ଅକ୍ଟୋବର ୧୩ରେ ଜନ୍ତରମନ୍ତରରେ ଜାତୀୟ ପତାକା ଧରି ପ୍ରତିବାଦ କରିଥିବା ସିଜେପି ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଗିରଫ କରାଯାଇ ହାଜତକୁ ପଠାଯାଇଥିଲା । ଏହାର ପ୍ରତିବାଦରେ ଏହି ରାଲି ଆୟୋଜନ କରାଯାଉଥିବା କୁହାଯାଇଛି । ରାଲି ପୂର୍ବରୁ ଦିଲ୍ଲୀ ପୋଲିସ ଦୀପକେଙ୍କ ଘରେ ପହଞ୍ଚି ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍)ର ଧାରା ୧୬୩ ଅନୁଯାୟୀ ନୋଟିସ୍ ଜାରି କରିଥିଲା । କନଟ୍ ପ୍ଲେସ୍ ଅଞ୍ଚଳରେ ନିଷେଧାଦେଶ ଲାଗୁ ଥିବା ଏବଂ ନୂଆଦିଲ୍ଲୀ ନଗର ପରିଷଦ (ଏନ୍ଡିଏମ୍ସି) ରାଲି ପାଇଁ ଅନୁମତି ଦେଇନଥିବା ନୋଟିସ୍ରେ ଉଲ୍ଲେଖ ରହିଥିଲା । ଜାତୀୟ ପତାକା ଉଡ଼ାଇବା ଆଇନ ବିରୋଧୀ ନୁହେଁ, କିନ୍ତୁ ବିନା ଅନୁମତିରେ ରାଲି ଓ ଜନସମାଗମ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଥିଲା । ଅଟକ ସମୟରେ ଦୀପକେ ପୋଲିସକୁ କେଉଁ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହି ଘଟଣାରେ ଛାତ୍ରନେତ୍ରୀ ନେହା ବୋରାଙ୍କୁ ମଧ୍ୟ ଜନ୍ତରମନ୍ତର ନିକଟରୁ ଉଠାଇ ନିଆଯାଇ ଅଟକ ରଖାଯାଇଛି । Post navigation Kataka Durga Puja 2026: ଦୁର୍ଗାପୂଜା ପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ Complaint against Collector: ସାଂସଦ ପ୍ରଦୀପ ପୁରୋହିତଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲାପାଳ