ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ । ସାରା ଦେଶ ମନେ ପକାଉଛି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଗାନ୍ଧୀ ସମାଧିରେ ଆୟୋଜିତ ଏକ ସର୍ବଧର୍ମ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ। ଏହାସହ ମୋଦି ବିଜୟ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୂଚନା ଅନୁଯାୟୀ; ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ମୋହନଦାସ କରମଚାନ୍ଦ ଗାନ୍ଧୀ ଗୁଜରାଟ କାଠିଆୱାର ଉପଦ୍ୱୀପର ଏକ ଉପକୂଳବର୍ତ୍ତୀ ସହର ପୋରବନ୍ଦରର ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରେଜ କବଳରୁ ଭାରତକୁ ସ୍ୱାଧୀନ କରିବାକୁ ଅହିଂସାର ପଥ ଆପଣାଇଥିଲେ । ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରିବାକୁ ଦେଇଥିଲେ ପ୍ରେରଣା । ଗାନ୍ଧୀଙ୍କ ନେତୃତ୍ୱରେ ଅନେକ ସ୍ୱାଧୀନତା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସେଥିମଧ୍ୟରେ ଚମ୍ପାରଣ ଆନ୍ଦୋଳନ, ଖେଡ଼ା ଆନ୍ଦୋଳନ, ଖିଲାଫତ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ଅନ୍ୟତମ । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ଏକ ପ୍ରାର୍ଥନା ସଭାରେ ଆତତାୟୀ ଗୁଳିରେ ଏହି ଦେଶପ୍ରାଣଙ୍କର ପରଲୋକ ଘଟିଥିଲା।

ଅନ୍ୟପଟେ ଆଜି ହେଉଛି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଉତ୍ତର ପ୍ରଦେଶର ମୋଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଦିନ ଜନ୍ମଗ୍ରହଣ କରିଥିଲେ । ୯ ଜୁନ୍ ୧୯୬୪ ରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଗୁଲଜାରୀଲାଲ ନନ୍ଦାଙ୍କ ଠାରୁ ପଦ ଗ୍ରହଣ କଲେ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଦେଶର ନେତୃତ୍ୱ ନେଇଥିଲେ । ଯୁଦ୍ଧ ସମୟରେ ସେ “ଜୟ ଯବାନ, ଜୟ କିସାନ” ସ୍ଲୋଗାନ ଦେଇଥିଲେ । ୧୦ ଜାନୁଆରୀ ୧୯୬୬ରେ ତାସକେଣ୍ଟ ଚୁକ୍ତିନାମା ସହିତ ଯୁଦ୍ଧ ଆନୁଷ୍ଠାନିକ ଭାବରେ ସମାପ୍ତ ହୋଇଥିଲା । ଆଉ ତାର ପରଦିନ ତାସକେଣ୍ଟ ଠାରେ ଶାସ୍ତ୍ରୀ ମୃତ୍ୟୁବରଣ କଲେ ।

Leave a Reply

Your email address will not be published. Required fields are marked *