ଚେସ୍ ଦୁନିଆରେ ଓଡ଼ିଶାର ମାତ୍ର ୪ ବର୍ଷର ଝିଅ ଏଲେନା ମିଶ୍ର ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ସେ ଆନୁଷ୍ଠାନିକ ଭାବେ ଫିଡେ ରେଟିଂ ପାଇବାରେ ବିଶ୍ୱର ସବୁଠାରୁ କମ୍ ବୟସ୍କ ମହିଳା ଚେସ୍ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ସେପ୍ଟେମ୍ବର ୨୦୨୬ରେ ଆନ୍ତର୍ଜାତୀୟ ଚେସ୍ ପରିଚାଳନା ସଂସ୍ଥା (FIDE) ଦ୍ୱାରା ପ୍ରକାଶିତ ରେଟିଂ ତାଲିକା ଅନୁଯାୟୀ, ମାତ୍ର ୪ ବର୍ଷ ୬ ମାସ ୧୬ ଦିନ ବୟସରେ ଏଲେନା ୧୪୩୨ ଫିଡେ ବ୍ଲିଜ୍ (Blitz) ରେଟିଂ ହାସଲ କରିଛନ୍ତି।

ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ଆୟୋଜିତ ‘ଓଡ଼ିଶା ଷ୍ଟେଟ୍ ବ୍ଲିଜ୍ ଫିଡେ ରେଟିଂ ଓପନ୍ ଚେସ୍ ଚାମ୍ପିୟନସିପ୍ ୨୦୨୬’ରେ ଭାଗ ନେଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ତାଙ୍କର ଚମତ୍କାର ପ୍ରଦର୍ଶନ ତାଙ୍କୁ ଏହି କମ୍ ବୟସରେ ଅଫିସିଆଲ୍ ଫିଡେ ରେଟିଂ ତାଲିକାରେ ସ୍ଥାନ ଦେଇଛି।

​ସମ୍ପ୍ରତି ୨୦୨୨ କିମ୍ବା ତା’ପରେ ଜନ୍ମଗ୍ରହଣ କରିଥିବା ମହିଳା ଖେଳାଳିଙ୍କ ମଧ୍ୟରେ ଯେକୌଣସି ଫର୍ମାଟରେ ଅଫିସିଆଲ୍ ଫିଡେ ରେଟିଂ ପାଇବାରେ ଏଲେନା ହେଉଛନ୍ତି ଏକମାତ୍ର ମହିଳା ଖେଳାଳି। ଏହି ସଫଳତା ନେଇ ‘ଓଡ଼ିଶା ସ୍ପୋର୍ଟସ୍’ ସୋସିଆଲ ମିଡିଆ ‘X’ ରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛି।

​ଯେଉଁ ବୟସରେ ପିଲାମାନେ ଖେଳକୁଦ ଶିଖିବା ଆରମ୍ଭ କରନ୍ତି, ସେହି ବୟସରେ ଏଲେନା ପ୍ରତିଯୋଗିତାମୂଳକ ଚେସ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ଓଡ଼ିଶାରେ ଚେସ୍ ଖେଳର ଲୋକପ୍ରିୟତାକୁ ବୃଦ୍ଧି କରିବା ସହ ରାଜ୍ୟର ଅନ୍ୟ କୋମଳମତି ଶିଶୁମାନଙ୍କୁ ପ୍ରେରଣା ଯୋଗାଇବ।

Leave a Reply

Your email address will not be published. Required fields are marked *