ଲୋକସଭାରେ ମଙ୍ଗଳବାର ମଧ୍ୟ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି  । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ହଙ୍ଗାମା ହୋଇଥିଲା । ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ପେପର ଫିଙ୍ଗିଛନ୍ତି । ଏହାକୁ ନେଇ ସଂସଦରେ ବିରୋଧୀ ପକ୍ଷର ୮ ସାଂସଦ ସସ୍‌ପେଣ୍ଡ୍‌ କରାଯାଇଛି । ହିବି ଇଦେନ, ଅମରିନ୍ଦର ସିଂ ରାଜା ୱାରିଂ, ମଣିକମ୍‌ ଟାଗୋର, ଗୁରଜିତ ସିଂ ଔଜଲା, କିରଣ କୁମାର ରେଡ୍ଡୀ, ପ୍ରଶାନ୍ତ ପାଡୋଲେ,ଏସ୍‌ ଭେଙ୍କଟେସନ ଓ ଡିନ୍‌ କୁରିଆକୋସ୍‌ଙ୍କୁ ଅଧିବେଶନରୁ ସସ୍‌ପେଣ୍ଡ୍‌ କରାଯାଉଛି । ଚଳିତ ବଜେଟ୍‌ ଅଧିବେଶନରୁ ପୂରା ସସ୍‌ପେଣ୍ଡ ନେଇ ସୂଚନା ମିଳିଛି। ଏହା ସହ ଆଜି ପାଇଁ ସଂସଦକୁ ମୁଲତବି ଘୋଷଣା କଲେ ବାଚସ୍ପତି ।

ସୂଚନା ଯୋଗ୍ୟ; ଗତକାଲି ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଗୃହରେ ହଟ୍ଟଗୋଳ ଯୋଗୁଁ ଗୃହ ସ୍ଥଗିତ ରହିବା ପରେ ଆଜି ପୁଣି ଥରେ ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତିଙ୍କ ଆସନରେ ସାଂସଦ କୃଷ୍ଣା ପ୍ରସାଦ ତିନ୍ନେଟୀ ଥିବାବେଳେ ରାହୁଲ ଗାନ୍ଧୀ ପୁଣି ଥରେ ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ।

ପୂର୍ବତନ ସେନା ମୁଖ୍ୟ ଏମଏମ ନରୱାଣେଙ୍କ ଦ୍ୱାରା ପ୍ରକାଶିତ ‘ସ୍ମୃତିପତ୍ର’ ଉପରେ ରାହୁଲ ଗାନ୍ଧୀଙ୍କୁ କହିବାକୁ ବାଚସ୍ପତିଙ୍କ ମନା କରିବା ପ୍ରତିବାଦରେ ବିରୋଧୀ ସାଂସଦମାନେ ପ୍ରତିବାଦ କରୁଛନ୍ତି । ରାହୁଲ ଗାନ୍ଧୀ ଚୀନର କଥା ଉଠାଇ କହିଥିଲେ ଯେ ପୂର୍ବ ଲଦାଖରେ ଭାରତୀୟ ସୈନିକଙ୍କୁ ହତ୍ୟା କରାଯାଇଥିଲା।

ଏହାରି ମଧ୍ୟରେ ପୋଡିୟମରୁ ଟେନେଟି ନରେଶ ଉତ୍ତମ ପଟେଲଙ୍କୁ କହିବାକୁ ନିର୍ଦ୍ଦେଶ ଦେଇଥିଲେ । ରାହୁଲଙ୍କୁ କହିବାକୁ ରୋକା ଯିବାରୁ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳର ସାଂସଦମାନେ ନିଜର ଭାଷଣ ରଖିବାକୁ ମନା କରିବା ସହିତ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧୀ ସାଂସଦମାନେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଗୃହ ମଧ୍ୟ ଭାଗକୁ ଚାଲିଆସିଥିଲେ ଏବଂ ବାଚସ୍ପତିଙ୍କ ପୋଡିୟମ ଆଡ଼କୁ କାଗଜପତ୍ର ମଧ୍ୟ ଫିଙ୍ଗିଥିଲେ । ଫଳରେ ବାଚସ୍ପତି କୃଷ୍ଣ ପ୍ରସାଦ ଟେନେଟି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ପୋଡ଼ିୟମ ଉପରକୁ କାଗଜ ଫିଙ୍ଗିଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅପରାହ୍ନ ୩ଟାରେ ଚତୁର୍ଥ ଥର ପାଇଁ ଲୋକସଭା କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ବାଚସ୍ପତି କାଗଜ ଫିଙ୍ଗିଥିବା ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। ସଂସଦର ନିୟମ ୩୭୪ର ଉଲ୍ଲଂଘନ କରିବା ଅଭିଯୋଗରେ ୮ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

ଏହା ପରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସଂସଦ ଭବନର ମକର ଦ୍ୱାର ନିକଟରେ ଅନ୍ୟ ସଦସ୍ୟ ମିଶି ପ୍ରତିବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *