ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କାର୍ଯ୍ୟକର୍ତାଙ୍କ ସମେତ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସମଗ୍ର ଦେଶ ଆଜି ଆନନ୍ଦ ଉଲ୍ଲାସର ସହ ସ୍ୱାଧୀନତାର ୭୯ତମ ଦିବସ ପାଳନ କରୁଛି । ଏହି ମହୋତ୍ସବ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଭାରତର ମୁକ୍ତି ସଂଗ୍ରାମରେ ବଳିଦାନ ଦେଇଥିବା ପ୍ରତ୍ୟେକ ସଂଗ୍ରାମୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଭାରତ ବର୍ଷର ଅନେକ ଲୋକଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ଆତ୍ମବିଶ୍ୱାସ କାରଣରୁ ଆମକୁ ଏହି କଷ୍ଟଲବ୍ଧ ସ୍ୱାଧୀନତା ମିଳିପାରିଛି । ବହୁ ବୀର ଓଡ଼ିଆ ଏହି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକା ପାଇଁ ସେବା କରି ପ୍ରାଣବଳୀ ଦେଇଥିଲେ । ଯେଉଁ ମହାପୁରୁଷମାନେ ଓଡ଼ିଶାକୁ ବିକଶିତ କରିବାକୁ ସ୍ୱପ୍ନ ଦେଖିଥିଲେ ସେମାନଙ୍କ ସ୍ୱପ୍ନ ସାକାର କରିବାର ସମୟ ଆସିିଛି । ଭାରତବର୍ଷର ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ଆମେ ସ୍ୱାଧୀନତାର ସ୍ୱାଦ ଚାଖି ପାରିଛୁ । ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଯୋଗଦାନ ଅତୁଳନୀୟ ଥିଲା । ନେତାଜୀ ସୁବାଷ ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବାଜିରାଉତଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ଓଡ଼ିଶାବାସୀଙ୍କ ମନରେ ବିପ୍ଲବର ବହ୍ନି ଜଳାଇଥିଲେ । ଦେଶରେ ଏକତା, ଅଖଣ୍ଡତା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସେମାନେ ବହୁ ସଂଘର୍ଷ କରିଥିଲେ । ସେମାନଙ୍କ ନୀତି ଆଦର୍ଶରେ ଯୁବପିଢ଼ୀ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବା ପାଇଁ ଆଗେଇ ଆସିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି । ମନମୋହନ କହିଛନ୍ତି ଆଜି ସଂକଳ୍ପ ନେବାର ଦିନ । ଓଡିଶାରେ ଅପାର ସମ୍ଭାବନା ରହିଛି । ଜଳସଂପଦ, ଖଣିଜ ସଂପଦ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି, ମାନବ ସମ୍ବଳକୁ ଉଚିତ୍ ବ୍ୟବହାର କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିବ । ତେଣୁ ଟିମ ସ୍ପରିଟ ସହ ସାମୁହିକ ନେତୃତ୍ୱ ଏବଂ ସାମୁହିକ ଉତ୍ତଦାୟିତ୍ଵ ନେଇ କାମ କରି ଆଗକୁ ବଢିବାକୁ ପଡିବ । ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଓଡିଶାକୁ ବଡ ପୁଞ୍ଜିନିବେଶ ଆସିଛି । କୃଷକଙ୍କ ରୋଜଗାର ବଢାଇବା ପାଇଁ ସରକାର ଯୋଜନା କରିଯାଉଛି । କୃଷକଙ୍କଠାରୁ ଆରମ୍ଭ କରି ଶ୍ରମିକ, ମହିଳା ଓ ଯୁବଶକ୍ତିଙ୍କ ପର୍ଯ୍ୟନ୍ତ ସଭିଁଏ ରାଜ୍ୟରେ ବିଜେପି ସରକାରକୁ ସମର୍ଥନ ଜାରି ରଖିଛନ୍ତି । ସେମାନଙ୍କ ଆଶା ଓ ଆଙ୍କାକ୍ଷା ପୂରଣ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ବିଜେପି କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ ଅବସରରେ ବହୁ ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ଏବଂ ଶତାଧିକ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ । Post navigation ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି: ପୃଥ୍ବୀରାଜ ହରିଚନ୍ଦନ