ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ବିଭିନ୍ନ ଜିଲ୍ଲା ଶିକ୍ଷକ ଏବଂ ଶିକ୍ଷାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ । ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଦରକାର ଅଛି । ଆଜି ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା-୨୦୨୦ ଲାଗୁ ହୋଇଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଶିକ୍ଷାର ଯଥେଷ୍ଟ ଉନ୍ନତି ହୋଇଛି । ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାପ୍ରଦାନ ଉପରେ ଜୋର ଦିଆଯାଇଛି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର କାର୍ଯ୍ୟରତ । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଦେଶର ସ୍ଵାଧୀନତା ସମୟରେ ସାକ୍ଷରତା ହାର ଥିଲା ୧୨ ପ୍ରତିଶତ ଥିବାବେଳେ କାଳକ୍ରମେ ସାକ୍ଷରତା ହାରରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ ସାକ୍ଷରତା ହାର ଶତ ପ୍ରତିଶତ ହେବ । ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଦୁଇଟି ବଡ଼ ଆହ୍ୱାନ ରହିଛି । ଗୋଟିଏ ହେଲା ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ଓ ଅନ୍ୟଟି ହେଲା ଗୁଣାତ୍ମକ ଶିକ୍ଷା । ପିଲାମାନଙ୍କୁ ବିଦ୍ୟାଳୟରେ ବାନ୍ଧି ରଖିବା ପାଇଁ ମିଡ୍ ଡେ’ ମିଲ୍ ବ୍ୟବସ୍ଥା ହୋଇଛି । ପିଲାଟିକୁ ସ୍କୁଲରେ ପୋଷଣ ଯୁକ୍ତ ଆହାର ମିଳୁଛି । ଏହି ମିଡ୍ ଡେ ମିଲ୍ ବ୍ୟବସ୍ଥାକୁ ଅଷ୍ଟମରୁ ଦଶମ ଶ୍ରେଣୀକୁ ବୃଦ୍ଧି କରାଯାଇଛି । ସେହିପରି ଡ୍ରପ୍ ଆଉଟ୍ ହାର ଅନୁସୂଚିତ ଜାତି କ୍ଷେତ୍ରରେ ୨୪% ରହିଛି । ଏହାକୁ ପ୍ରାଧାନ୍ୟ ଦେଇ ଏବଂ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ ସରକାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରିଛନ୍ତି । ଏହାଦ୍ବାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଫଳରେ ଡ୍ରପ୍ ଆଉଟ୍ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ବଡ଼ ଆହ୍ବାନ, ବିଶେଷକରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ। ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । Post navigation ରାଜ୍ୟକୁ ଆସିବ ୬୦୦ ଇ-ବସ୍: କୃଷ୍ଣଚନ୍ଦ୍ର ମହାପାତ୍ର ୧୫ ମାସରେ ରାଜ୍ୟରେ ୪ ହଜାରରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି: ସ୍ନେହାଙ୍ଗିନୀ ଛୁରିଆ