କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଓଡିଶାର ପାର୍ବଣ ପର୍ବ ଦୃଷ୍ଟି କୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ରାସ୍ତା ମରାମତି ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଦ୍ୱୈତ ନଗରୀର ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ ରହିଛି । ସେଥିରୁ ୩୧୬ଟି ରାସ୍ତାର ସାମାନ୍ୟ ମରାମତି ଆବଶ୍ୟକ ଥିବା ବେଳେ ୬୯ଟି ରାସ୍ତାର ବ୍ୟାପକ ମରାମତି ଆବଶ୍ୟକ ରହିଛି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ  ।

ରାଜଧାନୀରେ ୭୯୮ କିମି ରାସ୍ତାରୁ ୨୨୨ କିମି ରାସ୍ତାର ମରାମତି ଆବଶ୍ୟକ । ଭୁବନେଶ୍ୱରରେ ୧୫୦.୭୬ କିମି ରାସ୍ତା ସାମାନ୍ୟ ମରାମତି ହେବାକୁ ଥିବା ବେଳେ ୭୧ କିମି ରାସ୍ତା ବ୍ୟାପକ ମରାମତି ହେବା ଆବଶ୍ୟକ । ସେହିପରି କଟକରେ ୧୯୭ କିମି ରାସ୍ତାରୁ ୮୦ କିମି ରାସ୍ତାର ମରାମତି ଆବଶ୍ୟକ ରହିଛି । ସେଥିରୁ ୭୦ କିମି ରାସ୍ତା ସାମାନ୍ୟ ମରାମତି ହେବାକୁ ଥିବା ବେଳେ ୯.୫୯ କିମି ରାସ୍ତାର ବ୍ୟାପକ ମରାମତି ଆବଶ୍ୟକ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଅକ୍ଟୋବର ୫ ସୁଦ୍ଧା ରାଜ୍ୟର ସମସ୍ତ ରାସ୍ତା ମରାମତି କାମ ସରିବ । ଦ୍ୱୈତନଗରୀ ସହ ରାଜ୍ୟର ସବୁ ସହରର ରାସ୍ତା କାମ ସମାପ୍ତ କରିବା ଏବଂ ଜନସାଧାରଣମାନଙ୍କ ଯାତାୟତକୁ ସୁଗମ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *