ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବାତ୍ୟା ମୋନ୍ଥା ଦ୍ଵାରା ଗଜପତି ଗୋଷାଣୀ ନୂଆଗାଁ ବ୍ଲକ୍‌ରେ ସର୍ବାଧିକ ୧୫୦ ମିମି ବର୍ଷା ହୋଇଛି । ୫୬ଟି ବ୍ଲକ୍‌ରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ରାଜ୍ୟ ସରକାର ୩୬୨ଟି ମାଗଣା ରୋଷେଇ ଘର ସ୍ଥାପନ କରିଛନ୍ତି, ଯେଉଁଠାରେ ଘୂର୍ଣ୍ଣିଝଡ଼ କେନ୍ଦ୍ରରେ ଆଶ୍ରୟ ନେଉଥିବା ୧୮,୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨,୧୯୮ ଗର୍ଭବତୀ ମହିଳା ସମେତ ପ୍ରାୟ ୧୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କାଲିଠାରୁ ବିଭିନ୍ନ ବିଭାଗ କ୍ଷୟକ୍ଷତି ଆକଳନ କରିବେ । କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । କିଛି ସ୍ଥାନରେ ଘର କ୍ଷତି ହେବାର ସୂଚନା ମିଳିଛି । ରିପୋର୍ଟ ଆସିବା ମାତ୍ରେ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ଘର ଭାଙ୍ଗିଥିଲେ ସର୍ଭେ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯିବ । ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ।

ମନ୍ତ୍ରୀ କହିଛନ୍ତି ଭଗବାନଙ୍କ ଆଶୀର୍ବାଦରୁ ପ୍ରକୋପ ଅଧିକ ହେଲା ନାହିଁ । ଓଡ଼ିଶା ସୀମା ଛୁଇଁ ବାତ୍ୟା ପଳାଇଗଲା । ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସବୁ ବିଭାଗ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭୂସ୍ଖଳନରୁ କେହି କ୍ଷତିଗ୍ରସ୍ତ ନ ହୁଅନ୍ତୁ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *