ରାଜସ୍ଥାନ ଜୈସଲମେରରେ ଭୟଙ୍କର ଦୁର୍ଘଟଣା । ଗତକାଲି ଜୈସଲମେର-ଯୋଧପୁର ରାଜପଥରେ ଥାୟତ ଗାଁ ନିକଟରେ ଜାତୀୟ ରାଜପଥରେ ଏସି ବସରେ ଅଚାନକ ନିଆଁ ଲାଗି ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ବସରେ ଥିଲେ ମୋଟ ୫୭ ଯାତ୍ରୀ । ଗୁରୁତର ୧୬ ଜଣଙ୍କ ଆହତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ ଓ ୪ ମହିଳା । ଗୁରୁତର ଆହତଙ୍କୁ ଏୟାରଲିଫ୍ଟ କରି ଯୋଧପୁରର ମହାତ୍ମା ଗାନ୍ଧୀ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଚିକିତ୍ସିତ ଥିବା ଯାତ୍ରୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ସୂଚନା ମୁତାବକ, ବସଟି ଜୈସଲମେରରୁ ଯୋଧପୁର ଯାଉଥିଲା । ବସରେ ପ୍ରାୟ ୫୭ ଜଣ ଯାତ୍ରୀ ଥିଲେ । ଅପରାହ୍ନ ସାଢ଼େ ତିନିଟା ସମୟରେ ଜୈସଲମେରରୁ ପ୍ରାୟ ୨୦ କିଲୋମିଟର ଦୂରରେ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଥାୟତ ଗ୍ରାମ ଅତିକ୍ରମ କରିବା ପରେ ବସର ପଛ ପାର୍ଶ୍ୱରୁ ଧୂଆଁ ଉଠିଥିଲା । ଚାହୁଁ ଚାହୁଁ ଅଚାନକ ବସରେ ନିଆଁ ବ୍ୟାପୀ ଯାଇଥିଲା । ବସ ଭିତରେ ଯାତ୍ରୀମାନେ ଚିତ୍କାର କରିଥିଲେ । କିଛି ଯାତ୍ରୀ ପ୍ରାଣ ବିକଳରେ ବସର ଝରକା ଭାଙ୍ଗି ଡେଇଁବାରେ ସଫଳ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ଏହା ଦେଖି ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଁଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ବସ୍ରେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓ ଏହି ଘଟଣାକୁ ନେଇ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଚିହ୍ନଟ ହୋଇପାରୁନଥିବା ମୃତଦେହର ଡିଏନଏ ସାମ୍ପୁଲ ନିଆଯାଇ ଟେଷ୍ଟ କରାଯିବ । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । କେମିତି ଓ କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା ସେନେଇ ଫରେନସିକ ଟିମ୍ ଅନୁସନ୍ଧାନ ଚଳାଇଛନ୍ତି । Post navigation ଦୁର୍ଗାପୁର ଗଣଧର୍ଷଣ ମାମଲାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ Diwali 2025 date: ୨୦ ତାରିଖରେ ପାଳନ କରାଯିବ ପୟାଶ୍ରାଦ୍ଧ ଓ ଦୀପାବଳି