ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବା ଏବଂ କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ନ୍ୟାୟ ଦାବିରେ ଆଜି ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରରେ ଥିବା ସମସ୍ତ ଦୋକାନ ବଜାର, ସ୍କୁଲ , କଲେଜ ଆଦି ବନ୍ଦ ଡାକରା ଦେଇଛି ବରଗଡ଼ ନାଗରିକ ମଞ୍ଚ । ବରଗଡ଼ ଗାନ୍ଧୀଛକ, ଭଟଲୀ ଛକ , ଡାଙ୍ଗ ଛକ ଆଦି ବିଭିନ୍ନ ଛକରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିବା ସହ ନାରାବାଜି କରିଛନ୍ତି । ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବୀ କରିଛନ୍ତି। ଏହାରି ମଧ୍ୟରେ ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବରଗଡ କୋର୍ଟ ସମ୍ମୁଖରେ ପୋଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । କୋର୍ଟ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆନ୍ଦୋଳନକାରୀ। ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ଧନୁଯାତ୍ରା ଦେଖିବା ପାଇଁ ଆସି ଘରକୁ ଫେରି ନ ଥିଲେ ଯୁବତୀ । ଗତ ୧୪ ତାରିଖ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଛି । ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବରଗଡ଼ ପୋଲିସ । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। Post navigation ଆଜିଠୁ ଭୁବନେଶ୍ବରରେ ୩ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ତୁରନ୍ତ ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ କଲେ ନବୀନ