ରାଜ୍ୟସଭା ନିର୍ବାଚନରେ ହୋଇଛି କ୍ରସ ଭୋଟିଂ । ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ସୂଚନା । କଂଗ୍ରେସର ୩ ଓ ବିଜେଡିର ୬ ଓ ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାପଡିଛି । କଂଗ୍ରେସରୁ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷଙ୍କ କ୍ରସ୍ ଭୋଟିଂ ହୋଇଥିବା ବେଳେ ବିଜେଡିରୁ ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ସୁବାସିନୀ ଜେନା, ଦେବୀ ତ୍ରିପାଠୀ, ରମାକାନ୍ତ ଭୋଇ ଓ ନବ କିଶୋର ମଲ୍ଲିକଙ୍କ କ୍ରସ୍ ଭୋଟିଂ ସୂଚନା ମିଳିଛି । ଏହା ସହ ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର କ୍ରସ୍‌ ଭୋଟିଂ କରିଥିବା ସୂଚନା ।

ଏହି ସବୁ ବିଧାୟକ ଦଳୀୟ ହ୍ୱିପ ନ ମାନି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିବା କୁହାଯାଉଛି । ଯେଉଁ ବିରୋଧୀ ଦଳର ଅସନ୍ତୁଷ୍ଟ ବିଧାୟକ ଏବଂ ବିଧାୟିକାଙ୍କ ଭୋଟ୍ କୁଆଡେ ଯିବ ତାକୁ ନେଇ ଚର୍ଚ୍ଚା ହେଉଥିଲା ସେମାନେ ହିଁ କ୍ରସ ଭୋଟିଂ କରି ସାରିଥିବା ସୂଚନା ମିଳିଛି । ଏହି ୧୦ ବିଧାୟକଙ୍କ ମଧ୍ୟରୁ କିଛି ନିଲମ୍ବିତ ଥିବା ବେଳେ ଆଉ କିଛି ନିଜ ଦଳର ଆଭିମୁଖ୍ୟ ଅସନ୍ତୁଷ୍ଟ ଅଛନ୍ତି ।

ବିଜେଡି ଓ କଂଗ୍ରେସର ବୁଝାମଣାକୁ ‘ଅସାଧୁ ମେଣ୍ଟ’ କହି ଦଳ ଉପରେ ବର୍ଷିଛନ୍ତି ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ । ସେ କହିଛନ୍ତି ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି। ବିଜୁ ଲିଗାସୀକୁ ଆଗକୁ ନେବାକୁ ଭୋଟ୍‌ ଦେଇଛି । ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଛି।  ଏହା ସହ କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ପ୍ରଶ୍ନ କରିବା ସହ ସେ କହିଛନ୍ତି ମୋତେ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ପାଇଁ କୁହାଯାଇଥିଲା । ଅସାଧୁ ମେଣ୍ଟ ପ୍ରାର୍ଥୀଙ୍କୁ କାହିଁକି ଭୋଟ୍‌ ଦେବାକୁ କୁହାଗଲା ।

ସେହିପରି ସେପଟେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ କ୍ରସ୍ ଭୋଟିଂ କରିଥିବା ମାନିଛନ୍ତି। ସୌଭିକଙ୍କ ବାଣ ମଧ୍ୟ ବେଶ୍ ତୀକ୍ଷ୍ଣ ଥିଲା। ନବୀନ ନିବାସର ସେହି ପୁରୁଣା ଘଟଣାକୁ ମନେ ପକାଇ ସୌଭିକ କହିଛନ୍ତି- ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ଆଜି ତା’ର ପ୍ରତିଶୋଧ ନେଇଛି।

ସୂଚନା ଯୋଗ୍ୟ; ଆଜି ସମଗ୍ର ଦେଶରେ ରାଜ୍ୟସଭା ନିର୍ବାଚନର ମତଦାନ ଚାଲିଛି । ୩ଟି ଆସନର ଫଳାଫଳ ଆପାତଃ ସ୍ପଷ୍ଟ ଲାଗୁଥିବା ବେଳେ ଚତୁର୍ଥ ଆସନ ପାଇଁ ଚାଲିଛି ବଳ କଷାକଷି । ଚତୁର୍ଥ ରାଜ୍ୟସଭା ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡ. ଦତ୍ତେଶ୍ୱର ହୋତା ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ମଧ୍ୟରେ କଡା ମୁକାବିଲା ଚାଲିଛି । ଓଡ଼ିଶାରେ ଆଜି ସକାଳ ୯ଟାରୁ ରାଜ୍ୟ ବିଧାନସଭାରେ ଚାରୋଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଚାଲିଛି ଏବଂ ଏହା ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ୍ ୨ ତାରିଖରେ ଖାଲି ହେବାକୁ ଥିବା ଚାରୋଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି।

Leave a Reply

Your email address will not be published. Required fields are marked *