ବିଜଦ ସମୟରୁ ଚାଲିଆସିଥିବା ସବୁ ପ୍ରକାର ସ୍କାମ୍ ଏବେ ମଧ୍ୟ ଜାରି ରହିଛି। କହିବାକୁ ଗଲେ ଗାଣିତିକ ହାରରେ ବଢ଼ିବାରେ ଲାଗିଛି। ପ୍ରାୟ ୨୫୦ କୋଟିର ଏସ୍‌ଆଇ ନିଯୁକ୍ତି ସ୍କାମର ତଦନ୍ତ ଦିଗହରା ହୋଇଥିବା ବେଳେ ଗଣଶିକ୍ଷା ବିଭାଗର ଧଳାହାତୀମାନେ ଆଉ ଏକ ପ୍ରକାର ସ୍କାମ୍ କରିଥିବା ଅଭିଯୋଗ ମିଳିଛି।

ସରକାର ଧନ୍ଦାମୂଳକ ଶିକ୍ଷାପ୍ରାପ୍ତ ଯୁବକ-ଯୁବତୀମାନଙ୍କୁ ୨୦୧୬ ମସିହାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୫୦୫୦ଟଙ୍କା ମାସିକ ଦରମାରେ ନିଯୁକ୍ତି ଦେଇଥିଲେ । ଏଥିରେ ଡିପ୍ଲୋମା ଇଞ୍ଜିନିୟର, ଏମ୍ ବିଏ ଡିଗ୍ରି ଧାରୀ ଏବଂ କମ୍ପ୍ୟୁଟରରେ ଡିଗ୍ରୀଧାରୀ ଚାକିରି ପାଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ୨୧୨୦ଜଣ ପୁରୁଣା କର୍ମଚାରୀ କାର୍ଯ୍ୟରତ ଥିଲା ବେଳେ ସରକାରଙ୍କ ତରଫରୁ ଅତିରିକ୍ତ ୧୦୩୬ ପଦବୀ ସୃଷ୍ଟି କରାଯାଇ ଆବେଦନ ଆହ୍ୱାନ କରାଯାଇଛି। କିନ୍ତୁ ପ୍ରକୃତ ଖେଳ ତଥାକ‌ ଧଳାହାତୀ ଓ ଶିକ୍ଷା ବିଭାଗର ଦଲାଲମାନଙ୍କ ଚକ୍ରାନ୍ତରେ ସରକାର ପୁରୁଣା କର୍ମଚାରୀମାନଙ୍କୁ ବାହାର କରି ପୁଣି ସାକ୍ଷାତକାର ସମ୍ମୁଖୀନ ହେବା ପାଇଁ ଆହ୍ୱାନ କରିଛନ୍ତି ଏବଂ ସମସ୍ତଙ୍କ ପାଇଁ ଦୁଇବର୍ଷ ଅଭିଜ୍ଞତା ରଖୁଛନ୍ତି । ଚାକିରି ପାଇଁ ଆଶାୟୀମାନଙ୍କ ବୟସର ସର୍ବୋଚ୍ଚ ସୀମା ୪୫ବର୍ଷ ରଖିଥିଲା ବେଳେ ୪୫ବର୍ଷ ବୟସ ହୋଇଗଲେ ପୁରୁଣା କର୍ମଚାରୀମାନଙ୍କୁ ବାହାର କରିଦେବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏଭଳି ବିଭ୍ରାନ୍ତିକର ବିଜ୍ଞପ୍ତି ସ୍ରଷ୍ଟାକୁ ପୁରସ୍କାର ଦେବା ଉଚିତ ବୋଲି ମତପ୍ରକାଶ ପାଉଛି।

‘ନିର୍ଭୟ’କୁ ସାକ୍ଷାତକାର ଦେଇ ଧନ୍ଦାମୂଳକ ଶିକ୍ଷକ ମଙ୍ଗଳ ସମିତିର ସଭାପତି ଦୀପକ କୁମାର ଜେନା କ‌ହିଛନ୍ତି ଯେ, ସମୁଦାୟ ୩୨୫୬ ପଦବୀ ପାଇଁ ପୁନଃ ସାକ୍ଷାତକାର କରି ଆଉଟ୍ ସୋସିଂ ସଂସ୍ଥାଗୁଡ଼ିକ ଜରିଆରେ ପ୍ରତି ପଦବୀ ପିଛା ୩ଲକ୍ଷ ବା ତା’ଠୁ ଅଧ‌ିକ ଅର୍ଥ ଆଦାୟ କରିବା ପାଇଁ ଆପାତତଃ ଚୂଡ଼ାନ୍ତ କରି ଏପ୍ରକାର ବି ଭ୍ରାନ୍ତିକର ବିଜ୍ଞପ୍ତି ଜାରି କରାଯାଇଛି। ଆମେ ସବୁ ପ୍ରାୟ ୧୦ ବର୍ଷ କାମ କଲା ପରେ ପୁଣି ଚାକିରି ପାଇଁ ସାକ୍ଷାତକାର ଦେବା କେଉଁ ନିୟମ ଅନୁସାରେ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆମେ ସମସ୍ତେ ବିବାହିତ ଓ ପରିବାର ଧରି ଏହି ସ୍ଵଚ୍ଛ ଦରମାରେ ବଞ୍ଚୁଛୁ। ୩ ଲକ୍ଷ ଲାଞ୍ଚ ଦେଇ ଚାକିରିରେ ରହିବୁ ବା ପିଲାଛୁଆଙ୍କୁ ଧରି ରାସ୍ତା କଡ଼କୁ ଯିବୁ ବୋଲି କ୍ଷୋଭର ସହ କହିଛନ୍ତି ସଭାପତି ଦୀପକ କୁମାର ଜେନା । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଭାଗର ବରିଷ୍ଠ ପ୍ରଶାସନିକ କର୍ମଚାରୀ ସମେତ ଅମରେଶ ମହାପାତ୍ର ପ୍ରୋଗ୍ରାମ ସଂଯୋଜକ, ସଂଗୀତା ବେହେରା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଓ ବିକ୍ରମ ନାମକ ଜଣେ ଦଲାଲ ତଥା ପୂର୍ବତନ କର୍ମଚାରୀ ସୌମ୍ୟ ରଞ୍ଜନ ସାହୁ ବର୍ତ୍ତମାନ ଯିଏ କି ଆସେନସିପ୍ ଏଜୁକେସନ କେୟାର ନାମକ ଏକ ସଂସ୍ଥା ଖୋଲି ତା’ର ମୁଖ୍ୟ ହୋଇଛନ୍ତି ଏସବୁ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ। ଏହି ଅଭିଯୋଗ ଉପରେ ନିହାତି ଯାଞ୍ଚ ହେବା ଜରୁରୀ।

ରାଜ୍ୟର ୪ଟି ସଂସ୍ଥା ସମେତ ସମୁଦାୟ ୨୧ଟି ଆଉଟସୋସିଂ ସଂସ୍ଥାକୁ ଗଣଶିକ୍ଷା ବିଭାଗ ଚୟନ କରିଛି। ଏଥିରେ ମଧ୍ୟ ପ୍ରବଳ ଅର୍ଥ କାରବାର ହୋଇଛି ବୋଲି ଅଭିଯୋଗ ମିଳିଛି। ଏହି ସଂସ୍ଥାଗୁଡ଼ିକୁ ଶିକ୍ଷକ ମନୋନୟନ କରିବା ପାଇଁ ଦାୟିତ୍ବ ଦେଇ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମଚାରୀମାନେ ପ୍ରତ୍ୟେକ ୩ ଲକ୍ଷ ହିସାବରେ ପ୍ରାୟ ୧୦୦କୋଟି ଟଙ୍କା ଆଦାୟ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସଚିବ ଡକ୍ଟର ତିରୁମୁଲା ନାୟକ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ଭୂମିକା ସନ୍ଦେହଘେରକୁ ଯାଉଛି । ସବୁଠୁ ଗୁରୁତର କଥା ଯେ, ଚାକିରିରେ ପ୍ରବେଶ ପାଇଁ ୪୫ ବର୍ଷ ସର୍ବୋଚ୍ଚ ସୀମା ବର୍ତ୍ତମାନ ରଖୁଥୁଲା ବେଳେ ଚାକିରି କରୁଥିବା ୪୫ବର୍ଷ ବୟସ୍କ କର୍ମଚାରୀମାନଙ୍କୁ ବାହାର କରିବା ପାଇଁ ଆଦେଶ ଜାରି କରିବା ପରସ୍ପର ବିରୋଧୀ ବିଜ୍ଞପ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅର୍ଥ ଲୋଭରେ ଏହି ଧଳାହାତୀ ଓ ତାଙ୍କର ଦଲାଲମାନେ ସାମାନ୍ୟତମ ବୁଦ୍ଧି ପ୍ରୟୋଗ କରିବା ପାଇଁ ଇଚ୍ଛା ନ‌କରି ଏହି ପରସ୍ପର ବିରୋଧୀ ଆଦେଶ ଜାରି କରିଛନ୍ତି । ଏହିକ୍ରମରେ ହିରଣ୍ୟ ପଲେଇ ନାମକ ଜଣେ ଅର୍ଥନୈତିକ ପଛୁଆବର୍ଗର ଗଞ୍ଜାମ ଜିଲାର କର୍ମଚାରୀ ୪୫ବର୍ଷ ରୁ ଅଧିକ ବୟସ ହୋଇଥିବା ହେତୁ ଚାକିରି ହରାଇବା ଭୟରେ ପରିବାର ସହ ଜଡ଼ସଡ ଅବସ୍ଥାରେ ଅଛନ୍ତି । ଅନ୍ୟ ଜଣେ ୪୯ବର୍ଷୀୟା ମହିଳା କର୍ମଚାରୀ ଯେ କି ଉଚ୍ଚଶିକ୍ଷିତା ଏବଂ ୨୦୧୬ ମସିହାରୁ କହ୍ନେଇପୁର ହାଇସ୍କୁଲରେ କାର୍ଯ୍ୟରତା ଅଧିକନ୍ତୁ ଜଣେ ଅବିବାହିତା । ତାଙ୍କୁ ମଧ୍ୟ ଏହି ନିୟମ ବଳରେ ବାହାର କରିବା ପାଇଁ କର୍ତ୍ତୃପକ୍ଷ ସବୁ ବ୍ୟବସ୍ଥା କରିଛନ୍ତି । ଏହି ବର୍ଗର ୧୯ଜଣ ଶିକ୍ଷକ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ପରେ ହାଇକୋର୍ଟ ଏହି ଶିକ୍ଷକମାନଙ୍କ ଜାଗାରେ ଅନ୍ୟ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ନଦେବା ପାଇଁ ଆଦେଶ ଦେଇଛନ୍ତି । ଏହି ଆଦେଶ ସମସ୍ତ ୨୦୧୪ କାର୍ଯ୍ୟରତ ଶିକ୍ଷକଙ୍କୁ ଲାଗୁ ହେବା କଥା । କିନ୍ତୁ କର୍ତ୍ତୃପକ୍ଷଙ୍କୁ ଅର୍ଥ ଲାଳସା ଏତେ ଘାରିଛି ଯେ, କେବଳ ସେହି ୧୯ ଜଣଙ୍କ ସମ୍ପର୍କରେ ସୁଗିତାଦେଶ ଜାରି କରିଛନ୍ତି । ମାତ୍ର ୧୫ହଜାର ପାଉଥିବା ଓ ବାହାସାହା ହୋଇ ଘର ସଂସାର କରୁଥିବା ଏହି ବର୍ଗର କର୍ମଚାରୀମାନେ ସମସ୍ତେ ହାଇକୋର୍ଟ ଯାଇପାରିବେ ନାହିଁ ଏବଂ ଏହି ଦୁର୍ବଳତାର ଫାଇଦା ଉଠେଇ ଗଣଶିକ୍ଷା ବିଭାଗର ଧଳାହାତୀମାନେ ଏହି ତ୍ରୁଟିପୂର୍ଣ ବିଜ୍ଞପ୍ତିକୁ ତୁରନ୍ତ ଖାରଜ କରିବା ବଦଳରେ ତାଙ୍କର ଅର୍ଥ ଆଦାୟ ଯୋଜନାକୁ ଚରିତାର୍ଥ କରିବାରେ ଲାଗିଛନ୍ତି।

ଏହି ଗୁରୁତର ସ୍କାମ୍ ସମ୍ପର୍କରେ ମତାମତ ପାଇଁ ଏହି ସାମ୍ବାଦିକ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନକୁ ଯାଇଥିଲେ | ମନ୍ତ୍ରୀ ନାହାଁନ୍ତି ବୋଲି ସୁରକ୍ଷା କର୍ମୀମାନେ କହିଲେ । ସୁଦୂର ମାଲକାନଗିରିରୁ ଆସିଥିବା ଓ ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଆସି ଏହି ନିରୀହ ଆଦିବାସୀମାନେ ମନ୍ତ୍ରୀଙ୍କ ବାସଭବନ ନିକଟସୁ ଡ୍ରେନ୍ ଉପରେ ଅସହାୟ ଭାବେ ବସିଥିବା ଲକ୍ଷ୍ୟ କରାଯାଇଥିଲା କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ମନ୍ତ୍ରୀଙ୍କର ବାସଭବନକୁ ପ୍ରବେଶ କରିବା ପାଇଁ ଅନୁମତି ଦେଉନଥିଲେ । ଏହି ଲୋକଙ୍କ ଭୋଟ ବଳରେ ମନ୍ତ୍ରୀ ଏତେ ବଡ଼ ସରକାରୀ ବାସଭବନ ପାଇଛନ୍ତି। ଲୋକଙ୍କ ପାଇଁ ଅତିଥିରୁମ୍ ମଧ୍ଯ ଅଛି କିନ୍ତୁ ଏହି ଭୋଟରମାନଙ୍କୁ ଅସହାୟ ଭାବେ ଡ୍ରେନ୍ ଉପରେ ବସିବା ଦେଖୁବା ପ୍ରକୃତରେ ଯନ୍ତ୍ରଣା ଦାୟକ ଥିଲା।

ମନ୍ତ୍ରୀଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କଲା ପରେ ମନ୍ତ୍ରୀଙ୍କର ନିରାପତ୍ତା କର୍ମୀ ଫୋନ୍ ଧରିଥିଲେ ଏବଂ ମନ୍ତ୍ରୀ କାର୍ଯ୍ୟମୁକ୍ତ ହେଲେ କଲ୍ କରିବେ ବୋଲି କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ବୋଧେ ସେ କାର୍ଯ୍ୟମୁକ୍ତ ହୋଇନାହାଁନ୍ତି ତେଣୁ କଲ୍ ଆସିନାହିଁ ।

ଏହି ସାମ୍ବାଦିକ ଓସେପା ଭବନକୁ ଯାଇ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଏ ସମ୍ପର୍କରେ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା । ବହୁ ସମୟ ଅପେକ୍ଷା କଲା ପରେ ବାଧ୍ଯ ହୋଇ ଫେରିଥିଲେ। ତେବେ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କର ପିଏ କହୁଛି ବୋଲି କହି ଜଣେ ଫୋନ୍ କରିଥିଲେ ଏବଂ ଆସିଥିବା କାରଣ ବୁଝିଥିଲେ। ଏହି ସାମ୍ବାଦିକ ଏହି ସ୍କାମ୍ ସମ୍ପର୍କରେ ମତାମତ ନେବା ପାଇଁ କହିଥିଲେ। ତେଣୁ ଦୟାକରି ଆପଣ ମୋତେ କଥା କରେଇ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । କିନ୍ତୁ ସେ ପିଏ ବୋଲି କହୁଥ‌ିବା ବ୍ୟକ୍ତି ୦୬୭୪୨୩୯୫୬୨୫ ନମ୍ବର ଦେଇ ଏହି ନମ୍ବରରେ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କୁ ଯୋଗାଯୋଗ କରିବା ପାଇଁ କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଫୋନରୁ କିମ୍ଭୂତ କିମାକାର୍ ଉତ୍ତର ସବୁ ଆସିଥିଲା । ପୁଣି ସେ ପିଏଙ୍କୁ ଯୋଗାଯୋଗ କରିବାର ଚେଷ୍ଟା କରିବାରୁ ଆଉ ସେ ଫୋନ୍ ଧରିନଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଅଧିକାରୀମାନେ କେତେମାତ୍ରାରେ ବେପରୁଆ।

୨୦୦୦ ପରିବାରର ପେଟକୁ ଲାତ ମାରି ଟଙ୍କା ଆଦାୟ କରିବା ପାଇଁ ଲଜ୍ଜା ସରମ ନଥିବା ପରି ମନେହୁଏ। ଓସେପାରେ ରହଣୀ ମଧ୍ୟରେ ଏହା ଏକ ପ୍ରଶାସନିକ ଦପ୍ତର ଭଳି ପ୍ରତୀୟମାନ ହେଉନଥିଲା । ଦଳଦଳ ଲୋକ ଆସୁଥିଲେ। ପ୍ରଶାସନିକ ଅଧିକାରୀଙ୍କ ଦପ୍ତରରେ ପଶୁଥିଲେ । ନିଜ ଇଚ୍ଛାରେ ବାହାରୁଥିଲେ। ସେମାନଙ୍କ ବାର୍ତ୍ତାଳପ କେବଳ ଟଙ୍କା ଦିଆନିଆ ସମ୍ପର୍କିତ ଥୁଲା। କେତେ ଆଲଟମେଣ୍ଟ ଆସିଲା । କେତେ ଖର୍ଚ୍ଚ ହେଲା । କାହାକୁ କେତେ ଦିଆ ହେବ ଏସବୁ ସର୍ବସାଧାରଣ ଜାଗାରେ ହାଟ ବଜାର ଭଳି ସମସ୍ତେ ଚର୍ଚ୍ଚା କରୁଥିଲେ । ଦୁଇ ଦୁଇ ଜଣ ଆଇଏଏସ୍ ଅଫିସରଙ୍କର ଦପ୍ତରର ଏହା ପ୍ରତୀକ୍ଷା ସ୍ଥାନ ବୋଲି ବିଲକୁଲ୍ ଲାଗୁ ନଥିଲା। କେବଳ ବେପାର ଏଠାରେ ଚାଲୁଥିବା ଯୋଗୁଁ ସମସ୍ତେ ସର୍ବସାଧାରଣ ହାଟ ବୋଲି ବ୍ୟବହାର କରୁଥିଲେ।

ସେ ଯାହାହେଉ ୨୦୦୦ ପରିବାରର ଅର୍ଥନୈତିକ ସୁରକ୍ଷା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହ‌ନ ମାଝୀ ତୁରନ୍ତ ହସ୍ତକ୍ଷେପ କରିବା ସହ କୋର୍ଟ ଦେଇଥିବା ୧୯ଜଣଙ୍କ ପାଇଁ ସ୍ମଗିତା ଆଦେଶକୁ ସମସ୍ତଙ୍କ ପାଇଁ ଲାଗୁ କରନ୍ତୁ। ଗଣଶିକ୍ଷା ବିଭାଗରେ ଚାଲିଥିବା ନାହିଁ ନଥିବା ଦୁର୍ନୀତିର ନିର୍ଣ୍ଣାୟକ ତଦନ୍ତ ଦକ୍ଷ ଅଧିକାରୀଙ୍କ ଜରିଆରେ କରି ଲୋକଙ୍କ ଆସ୍ଥାଭାଜନ ହୁଅନ୍ତୁ ବୋଲି ଦାବି ହେଉଛି। ସମସ୍ତେ ଜାଣିସାରିଲେଣି ଯେ, ଭୋଟ ଦେଲା ପରେ ସରକାର ପଲ୍ୟୁସନ ସାର୍ଟିଫିକେଟ, ବାଲି ଦୁର୍ନୀତି, ଟେଣ୍ଡର ଦୁର୍ନୀତି ଭଳି ବିଭିନ୍ନ ଲୋକହିତ ବିରୋଧୀ କାର୍ଯ୍ୟକ୍ରମ କେବଳ ଧଳାହାତୀମାନଙ୍କର ପ୍ରଚ୍ଛନ୍ନ ସହଯୋଗରେ ଚାଲୁଛି ଏବଂ ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ମୋହନ ସରକାରଙ୍କଠାରୁ ମୁହଁ ଫେରେଇ ନେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ପାଣ୍ଡିଆନ ଇକୋସିଷ୍ଟମ ଆଜି ମଧ୍ୟ ସମ୍ପୂର୍ଣ କାର୍ଯ୍ୟକ୍ଷମ ଅଛି। ପାଣ୍ଡିଆନମାର୍କା ଅଫିସରମାନେ ନାହିଁ ନଥିବା ଦୁର୍ନୀତି କରି ମୋହନ ସରକାରଙ୍କୁ ସମ୍ପୂର୍ଣ୍ଣ ବଦନାମ କରି ସାରିଲେଣି ବୋଲି ମତପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *