ବର୍ଷିୟାନ ଏବଂ ଅଭିଜ୍ଞ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ  ପ୍ରତ୍ୟାହାର କରି ନେଇଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନିଷ୍ପତ୍ତି ତତ୍କାଳ ଲାଗୁ ହୋଇଛି । ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି । ଡାକ୍ତର ରାଉତ ଏବେ ଗୁରୁତର ଅସୁସ୍ଥ । ତାଙ୍କ ଶେଷ ଇଛା ପୂରଣ କରି ନବୀନ ବାବୁ ତାଙ୍କୁ ଦଳକୁ ଫେରାଇ ଆଣିଛନ୍ତି । ଭଲ କଥା । କିନ୍ତୁ ଦଳରୁ ଦାମ ବାବୁଙ୍କୁ ତଡିବା ପୂର୍ବରୁ ସେ ଯେଉଁ ପ୍ରଶ୍ନ ଉଠାଇଥିଲେ, ତାହାର ଉତ୍ତର ଅପେକ୍ଷାରେ ଏବେ ବି ଅଛନ୍ତି ରାଜ୍ୟବାସୀ । ୨୦୧୪ ପୂର୍ବରୁ ଏକ ଖବର କାଗଜର ସାକ୍ଷାତକାରକୁ ନେଇ ବର୍ଷିୟାନ ଏବଂ ପୋଖତ ରାଜନେତା ପ୍ରଫୁଲ୍ଲ ଘଡାଇଙ୍କୁ ଦଳରୁ ବହିଷ୍କାର କରିଥିଲେ ନବୀନ ବାବୁ । କହିବାର ସାମାନ୍ୟତମ ସୁଯୋଗ ମଧ୍ୟ ତାଙ୍କୁ ମିଳି ନଥିଲା । ପ୍ରକାଶିତ ଖବରଟିର ସତ୍ୟତା ତାଙ୍କଠାରୁ ଜାଣିବାକୁ କେବେ ବି ଚାହିଁ ନଥିଲେ ମୁଖ୍ୟମନ୍ତ୍ରୀ । ସାକ୍ଷାତର ସୁଯୋଗ ମଧ୍ୟ ତାଙ୍କୁ ମିଳି ନଥିଲା । ତେବେ ତାଙ୍କ ପୁତ୍ର ପ୍ରୀତିରଞ୍ଜନ ଘଡାଇଙ୍କୁ ଟିକଟ ଦେଇ ପ୍ରଫୁଲ୍ଲଙ୍କୁ ନିଷ୍କ୍ରିୟ କରିଦେଇଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ୨୦୧୯ରେ ମୋଦୀ ହାୱାର ପ୍ରଖରତା ଆଶଙ୍କାରେ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯାଇଥିଲା । ଏବେ ବି ସାଂଗଠନିକ ଦକ୍ଷତାରେ ପ୍ରଫୁଲ୍ଲଙ୍କ ଜବାବ ନାହିଁ । ରାଜନୀତିରେ ମଧ୍ୟ ଖୁବ ସକ୍ରିୟ ସିଏ । ମାତ୍ର ଯେତେବେଳେ ଡାକ୍ତର ରାଉତଙ୍କ ବହିଷ୍କାର ଏବଂ ବହିଷ୍କାର ଆଦେଶ ପ୍ରତ୍ୟାହାରକୁ ତର୍ଜମା କରାଯାଏ ସେତେବେଳେ ଅନେକ ଅନୁତ୍ତରିତ ପ୍ରଶ୍ନ ଆସେ ସାମ୍ନାକୁ । ଏହାର ଉତ୍ତର ମିଳିବା ନିତ୍ୟାନ୍ତ ଆବଶ୍ୟକ । ପ୍ରଥମ କଥା ତାଙ୍କୁ କାହିଁକି ଦଳରୁ ବହିଷ୍କାର କରାଯାଇଥିଲା? ଏହା ପୂର୍ବରୁ ମନ୍ତ୍ରୀ ପଦରୁ ତାଙ୍କୁ କାହିଁକି ବାହାର କରି ଦିଆଗଲା? ସେ ଯେଉଁ ଗଡଫାଦରକୁ ଆକ୍ଷେପ କରିଥିଲେ ସେ ବ୍ୟକ୍ତି ଜଣଙ୍କ କିଏ? ଏହି ୩ଟି ପ୍ରଶ୍ନର ଉତ୍ତର କାହିଁକି ଦେବେ ନାହିଁ ବିଜଦ ନେତୃତ୍ୱ?

କୃଷିମନ୍ତ୍ରୀ ଥିବାବେଳେ ଚାରା ଦୁର୍ନୀତିକୁ ନେଇ ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ନିଦେ୍ର୍ଦଶ ଦେଇଥିଲେ ଡାକ୍ତର ରାଉତ । ଏହା ସିଏମଓକୁ ଘୋର ଅସନ୍ତୁଷ୍ଟ କରିଥିଲା । ମନ୍ତ୍ରୀ ପଦ ଯିବା ପରେ ଦାମ ବାବୁ ଏହି କଥା ଉଠାଇଥିଲେ । ୧୦୦କୋଟି ଟଙ୍କାର ଚାରା ଦୁର୍ନୀତି କଥା ଉଠାଇ ସେହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଗଡ଼ଫାଦର ଯୋଗୁ ତାଙ୍କ ମନ୍ତ୍ରୀ ପଦ ଗଲା ବୋଲି ଦାମ ବାବୁ ଆକ୍ଷେପ କରିଥିଲେ ।  ମୟୂରଭଞ୍ଜଠାରୁ ଆରମ୍ଭ କରି କନ୍ଧମାଳ ପର୍ଯ୍ୟନ୍ତ ଚାରିଆଡେ ବ୍ୟାପିଥିଲା ଚାରା ଦୁର୍ନୀତିର ଚେର । ଯେଉଁ ଅଧିକାରୀଙ୍କ କଥା ସେ କହିଥିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ତାଙ୍କର ନିବିଡ଼ ଯୋଗସୂତ୍ର ଥିଲା । ଏହା ହିଁ ଦାମ ବାବୁଙ୍କ ମନ୍ତ୍ରୀ ପଦ ଯିବାର ବଡ଼ କାରଣ ଥିଲା । ତେବେ ମାଲକାନଗିରି ସଭାରେ ଆଦିବାସୀଙ୍କୁ ପ୍ରଶଂସା କରିବାକୁ ଯାଇ ସେମାନେ ବ୍ରାହ୍ମଣଙ୍କ ପରି ଭିକ୍ଷାକୁ ବୃତ୍ତି କରନ୍ତି ନାହିଁ ବୋଲି ସେ ଯେଉଁ ଟିପ୍ପଣୀ ଦେଇଥିଲେ ତାହାକୁ ଆଧାରକରି ମୁଖ୍ୟମନ୍ତ୍ରୀ ଦାମ ବାବୁଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୌଣସି ପରିସ୍ଥିତିରେ ସେ ଜାତିଗତ ଓ ସାମ୍ପ୍ରଦାୟିକ ବିଦ୍ୱେଷକୁ ବରଦାସ୍ତ କରିବେ ନାହିଁ । କିନ୍ତୁ ଆଜି ଅବସ୍ଥା କ’ଣ? ବରଖାସ୍ତର ମୂଳ କାରଣଟି ଥିଲା ଦୁର୍ନୀତି ଓ ଗଡ଼ଫାଦରଙ୍କ ସମ୍ପୃକ୍ତି ।

ଏହାପରେ ସେ ଆଉ ଦୁଇଟି ବଡ଼ ଦୁର୍ନୀତି କଥା ଉଠାଇଥିଲେ । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ୭୦୦କୋଟି ଟଙ୍କାର ଋଣ ଦୁର୍ନୀତି ଏବଂ ଓମଫେଡରେ ୩୦ କୋଟି ଟଙ୍କାର ପଲିପାଉଚ ଦୁର୍ନୀତି । କେମିତି ସିଏମଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ସେ ଅଭିଯୋଗ ମଧ୍ୟ ଆଣିଥିଲେ । ଦାମ ବାବୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏକ ଚକ୍ରବୁ୍ୟହରେ ପଡି ଯେଉଁ ପାପ କରୁଛନ୍ତି, ସେଥିପାଇଁ ଦିନେ ତାଙ୍କୁ ଅନୁତାପ କରିବାକୁ ପଡିବ । ଏବେ ଯେତେବେଳେ ବିଜଦ ସଭାପତି ଭାବେ ନବୀନ ବାବୁ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲେ, ତାହାକୁ କ’ଣ ଅନୁତାପର ପରିଣତି ବୋଲି ଧରିନେବାକୁ ପଡିବ କି? ହେଇପାରେ ଶେଷ ଅବସ୍ଥାରେ ଅନୁକମ୍ପା ଦେଖାଇବାକୁ ଚେଷ୍ଟା କରିଛନ୍ତି ନବୀନ ବାବୁ । ଭୋଟ ଡର ନିଶ୍ଚିତଭାବେ ଏଭଳି ନିଷ୍ପତ୍ତିର କାରଣ ହୋଇପାରେ । କିନ୍ତୁ ଯେଉଁ ପ୍ରଶ୍ନ ଏ ପର୍ଯ୍ୟନ୍ତ ଅସମାହିତ ତାହାର ଉତ୍ତର ଦେବ କିଏ?

ସେହି ଶେଷ ପ୍ରଶ୍ନ- କିଏ ସେହି ଗଡ଼ଫାଦର ଯିଏ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଇ ଥିଲେ ଓ ତାଙ୍କ ବହିଷ୍କାରର କାରଣ ଥିଲେ?

By Nirvay

Leave a Reply

Your email address will not be published. Required fields are marked *