ବ୍ରହ୍ମଗିରିରୁ ବିଶ୍ୱଭୂଷଣ ମିଶ୍ର

ମା’ ବାଲିହରଚଣ୍ଡିଙ୍କୁ ଦର୍ଶନ କରି ଫେରୁଥିଲା ବେଳେ ବାଟରେ ଅତିକ୍ରମ କଲା ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ଝିଅ ଉପାସନା ମହାପାତ୍ର (ତାନିଆ)ଙ୍କ ଗାଡ଼ି । ତାନିଆଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କ ଦାଦା ବିଧାୟକ ଲଳିତେନ୍ଦୁଙ୍କ ସ୍ଥାନରେ କରିଛି ପ୍ରାର୍ଥୀ । ନିର୍ବାଚନୀ ମାହୋଲରେ ସ୍ୱାଭାବିକ ପ୍ରଚାର ପାଇଁ ତାନିଆ ବ୍ୟସ୍ତ ଥିବେ ଏହି କଥା ମନକୁ ଆସିଥିଲା । ହେଲେ କାହିଁ କେଜାଣି ତାଙ୍କୁ ଭେଟିବାକୁ ଇଚ୍ଛା ହେବାରୁ ଗାଡ଼ିକୁ ବୁଲାଇଲୁ ପଛକୁ । ଗଡ଼ରୋଡଙ୍ଗରେ ତାଙ୍କୁ ଭେଟିବା ପରେ ଅତି ସଂକ୍ଷିପ୍ତରେ ତାଙ୍କ ଉତ୍ତରଟି ଥିଲା ଭାରି ଖରା ହେଉଛି, ସାତପଡା ଏକୁଟିଆ ଯାଉଛି । ଆମେ ଫେରିଆସିଲୁ । ବେଣ୍ଟପୁର ଛକରେ ଠିଆ ହୋଇଥିଲା ବେଳେ କିଛି ଭଦ୍ରବ୍ୟକ୍ତିଙ୍କ ସହ ରାଜନୈତିକ ମାହୋଲକୁ ନେଇ ଆଲୋଚନା କରିବାର ସୁଯୋଗ ମିିଳିଥିଲା । ଲଳିତେନ୍ଦୁଙ୍କ ସ୍ଥାନରେ ତାନିଆଙ୍କୁ ଟିକେଟ ବ୍ରହ୍ମଗିରିରେ କି ପ୍ରଭାବ ପକାଉଛି ବୋଲି ଏକ ଛୋଟ ପ୍ରଶ୍ନର ଉତ୍ତରରେ ଜଣେ ବ୍ୟକ୍ତି ଏହା କହିଥିଲେ ଯେ, ‘ବାଘର ଝିଅ ସେ, ଲଢେଇ ଜାଣିଛି । ଏକାଏକା ବୁଲୁଛି, ପଛେଇବ ନାହିଁ’ ।
ଏହା ସତ ଯେ, ଖାଲି ବ୍ରହ୍ମଗିରି ଆସନ ନୁହେଁ ରାଜ୍ୟ ରାଜନୀତିରେ ଲଲାଟେନ୍ଦୁଙ୍କ ଦବଦବା ଥିଲା ବେଶ ଅଧିକ । କଂଗ୍ରେସ ଟିକଟରୁ ତିନି ତିନିଥର ସେ ବ୍ରହ୍ମଗିରିର ବିଧାୟକ ହୋଇଥିଲେ । ରାଜ୍ୟର ବିଭିନ୍ନ ଜିଲାରେ ତାଙ୍କର ରହିଥିଲା ଲୋକପ୍ରିୟତା । ବ୍ରହ୍ମଗିରି ଆସନରୁ ସର୍ବାଧିକ ଥର ଲୁଲୁ ବିଧାୟକ ହୋଇଥିଲା ବେଳେ ୨୦୧୬ରେ ତାଙ୍କ ପରଲୋକ ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି କଂଗ୍ରେସର ଏହି ଗଡ଼ । ଲୁଲୁଙ୍କ ପରେ ଭାଜପାର ଉତ୍ଥାନ ସହ ବିଜଦକୁ ଏଠାରେ ଟକ୍କର ଦେଉଛି ଭାଜପା । ୨୦୦୯ ଏବଂ ୨୦୧୪ରେ ସଂଜୟ କୁମାର ଦାସବର୍ମା ବିଜଦ ଟିକଟରୁ ଏହି ଆସନରୁ ଜିତିଥିଲା ବେଳେ ୨୦୧୯ରେ ଲୁଲୁଙ୍କ ଭାଇ ବେବି (ଲଲିତେନ୍ଦୁ)ସଂଜୟଙ୍କୁ ହରାଇଥିଲେ । ବେବିଙ୍କୁ ଭାଜପା ଦେଇଥିଲା ଟିକେଟ । ସେବେଠାରୁ ସଂଜୟ ଏକପ୍ରକାର ବ୍ରହ୍ମଗିରିରେ ନିଜ ଦବଦବା ହରାଇସାରିଛନ୍ତି । ଏହି କାରଣରୁ ୨୦୨୪ରେ ସଂଜୟ ବ୍ରହ୍ମଗିରିରୁ ଠିଆ ହେବେ ନାହିଁ ବୋଲି ଦୃଢ ନିଷ୍ପତ୍ତି ନେଇଥିଲେ । ବହୁ ଅଙ୍କ କଷା ଓ ବାଦବିବାଦ ଉପରେ ସଂଜୟ ଗଲେ ସତ୍ୟବାଦୀ ଏବଂ ସତ୍ୟବାଦୀ ବିଧାୟକ ଉମା ଶଙ୍କର ସାମନ୍ତରାୟ ଆସିଛନ୍ତି ବ୍ରହ୍ମଗିରି । ସେହିପରି ଭାଜପା ଲୁଲୁ କନ୍ୟାଙ୍କ ଉପରେ ଭରସା କରିଛି । ଲଢେଇ ଏବେ ତାନିଆ ଏବଂ ଉମାଙ୍କ ଭିତରେ ।
ଦିନତମାମ ବ୍ରହ୍ମଗିରି ନିର୍ବାଚନ ମଣ୍ଡିଳୀ ବୁଲିବା ପରେ ଏହା ସ୍ପଷ୍ଟ ଜଣାପଡିଥିଲା ଯେ, ୮ବର୍ଷ ପରେ ମଧ୍ୟ ଏଠାରେ ଲୁଲୁଙ୍କ ପ୍ରତି ଲୋକଙ୍କର ସେହି ଭଲ ପାଇବା ଅତୁଟ ରହିଛି । ଆଜି ବି ଆମ ବାଘଙ୍କୁ ହରାଇଛୁ ବୋଲି କହି ଅନେକ ମନଦୁଃଖ କରିଥିଲେ । ତେବେ ତାଙ୍କର ଖୁସି ଏହା ଯେ, ମଇଦାନକୁ ଓହ୍ଳାଇଛନ୍ତି ବାଘର ଝିଅ । ତାନିଆ ଯେପରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ତାହା ସ୍ଥାନୀୟ ଲୋକଙ୍କୁ ଲୁଲୁଙ୍କ ଝଲକ ମନେପକାଇ ଦେଉଛି । ଲୁଲୁଙ୍କ ଭଳି ସେ ଲଢେଇ ଜାଣିଛି, ଏକାଏକା ବୁଲି ସରକାରୀ କଳର ଅର୍ଥବଳ ଓ ବାହୁବଳକୁ ଟକ୍କର ନିଶ୍ଚିତ ଦେବ ଏହି ବିଶ୍ୱାସ ଆମର ଅଛି ବୋଲି ଅନେକ କହିଥିଲେ ।
ଉମା ମଧ୍ୟ ଆରମ୍ଭ କରିଦେଲେଣି ପ୍ରଚାର । ତାଙ୍କ ପାଇଁ ସମସ୍ୟା ହେଉଛି ସଂଜୟଙ୍କ ସମର୍ଥକ । ସଂଜୟ ସିନା ସତ୍ୟବାଦୀ ଚାଲିଗଲେ ହେଲେ ସଂଜୟଙ୍କ ସମର୍ଥକ କିନ୍ତୁ ଉମାଙ୍କୁ ଗ୍ରହଣ କରିବାକୁ କୁନ୍ଥାଉଛନ୍ତି । ଯେଉଁମାନେ ଗତ ୧୦ବର୍ଷ ଧରି ସଂଜୟଙ୍କୁ ବିରୋଧ କରିଥିଲେ ସେମାନେ ଏହି ଉମାଙ୍କ ପାଖରେ । ତେଣୁ ଏଠି ବି ବିଜଦ କର୍ମୀଙ୍କ ଭିତରେ ଏକ ଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସଂଜୟଙ୍କ ପରେ ଟିକେଟ ପାଇବାର ଆଶାରେ ଥିବା କୈଳାସ ଚନ୍ଦ୍ର ପରିଡା, ଭାଗୀରଥି ବଡ଼ଜେନା ଉମାଙ୍କ ପ୍ରାଥିତ୍ୱକୁ ନେଇ କ୍ଷୁବ୍ଧ । ସେମାନଙ୍କ ନିରବତା ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିପାରେ ବୋଲି ଆମର ହୃଦବୋଧ ହେଲା । ଏହା ଭିତରେ ବାହାରିଆ ପ୍ରାର୍ଥୀଙ୍କୁ ନେଇ ମଧ୍ୟ ଏକ ବିବାଦ ଧିରେଧିରେ ମୁଣ୍ଡ ଟେକୁଛି ।
ପ୍ରାର୍ଥୀ ଘୋଷଣା ପରଠାରୁ ତାନିଆ ଜୋରଦାର ଆରମ୍ଭ କରିଦେଇଛନ୍ତି ନିଜ ପ୍ରଚାର । ଦଳୀୟ କର୍ମୀଙ୍କୁ ଏକାଠି କରିବା ସହ ବାପାଙ୍କର ଯେଉଁମାନେ ସମର୍ଥକ ଓ ଶୁଭ ଚିନ୍ତକ ଥିଲେ ସେମାନଙ୍କୁ ମଧ୍ୟ ଭେଟୁଛନ୍ତି । ଗାଁ ଗହଳିରେ ଲୁଲୁଙ୍କ ଝିଅକୁ ଦେଖିବାକୁ ଲୋକଙ୍କ ଭିତରେ ଏକ ଭିନ୍ନ ଆଗ୍ରହ ଦେଖିବାକୁ ମିଳୁଛି । କେତେବେଳେ ସମର୍ଥକଙ୍କ ସହ ତ ଆଉ କେତେବେଳେ ଏକୁଟିଆ ନିଜେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି । କୃଷ୍ଣପ୍ରସାଦ ବ୍ଲ୍‌କରେ ଭାଜପା ପ୍ରତି ସମର୍ଥନ ବେଶ ଅଧିକ ରହିଛି । ତେବେ ବ୍ରହ୍ମଗିରି ବଜାର ଅଞ୍ଚଳରେ ବିଜଦର ସ୍ଥିତି ଭଲ ଥିବା ଆମେ ହୃଦବୋଧ କଲୁ । ତାନିଆଙ୍କ ରାଜନୀତି ମଇଦାନକୁ ଆଗମନ ପରେ ଏବେ ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀ ସକ୍ରୀୟ ହୋଇଛନ୍ତି । କିଛିଟା ସ୍ଥାନରେ କର୍ମୀ ଚୁପ୍‌ ରହିଥିବା ଦେଖିବାକୁ ମିଳିଥିଲା ବେଳେ ଆଉ କିଛି ସ୍ଥାନରେ ଭାଜପା କର୍ମୀଙ୍କୁ ନିଜ ଆଡକୁ ନେବାକୁ ବିଜଦ ପ୍ରୟାସ କରୁଥିବା ଅନୁଭବ କଲୁ ।
ଲୋକେ ଯାହା କହିଲେ, ଯାହା ଶୁଣିଲୁ ସେଥିରୁ ଗୋଟିଏ ନିଷ୍କର୍ସରେ ପହଞ୍ଚିଲୁ ଯେ, ବ୍ରହ୍ମଗିରିରେ ଭାଜପାର ସ୍ଥିତି ମଜଭୁତ ରହିଛି । ବିଧାନସଭା ଆସନରେ ତାନିଆ ଏବେ ଏକ ପ୍ରକାର ଆଗୁଆ ଚାଲୁଛନ୍ତି । ଲୋକସଭା ଆସନ ପରିପ୍ରେକ୍ଷିରେ ବିଜଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାଁ ସେତେଟା ଚର୍ଚ୍ଚାକୁ ଆସିନଥିଲା । ସମ୍ବିତ ପାତ୍ରଙ୍କୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି । ତେବେ ଅପେକ୍ଷା ବାପାଙ୍କ ଆଶୀର୍ବାଦ, ଲୋକପ୍ରିୟତାକୁ ଆଧାର କରି ତାନିଆ କେତେ ସହଜରେ ଏହି ନିର୍ବାଚନୀ ବୈତରଣୀ ପାର୍‌ କରୁଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *