Women not safe in Odisha: fact-finding team of AICC
ନିକଟରେ ଓଡ଼ିଶାରେ ଘଟିଥିବା କିଛି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖ ଜାଣିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟାମାନେ ତିନିଦିନ ସଂପୃକ୍ତ ଘଟଣାସ୍ଥଳଗୁଡ଼ିକୁ ଯାଇ ପୀଡ଼ିତାମାନଙ୍କ ପରିବାର, ଗ୍ରାମବାସୀ, ସ୍ଥାନୀୟ ନେତୃତ୍ୱ, ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ଭେଟିଥିଲେ ।
 
ଏ ସବୁ ବର୍ଗର ଲୋକଙ୍କୁ ଭେଟିବାରୁ ଯେଉଁ ସବୁ ହୃଦୟବିଦାରକ ଘଟଣାମାନ ଜାଣିବାକୁ ପାଇଲୁ, ଭାରାକ୍ରାନ୍ତ ହୃଦୟରେ ଓଡ଼ିଶାରୁ ଫେରିବାକୁ ପଡ଼ୁଛି ବୋଲି ଏଆଇସିସିର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟା ମାନେ ଦୁଃଖପ୍ରକାଶ କରି କହିଛନ୍ତି ।
 
ପ୍ରଥମେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଅଭିଜ୍ଞତା ବାଣ୍ଟିବୁ; ଯଦ୍ୱାରା ରାଜ୍ୟରେ ମହିଳା ନିର୍ଯାତନା କୋଉ ସ୍ତରରେ ପହଞ୍ଚିଲାଣି ତା’ର ଏକ ଚିତ୍ର ପାଇପାରିବେ । ରାଜ୍ୟର ଏତେବଡ଼ ସ୍ପର୍ଶକାତର ପ୍ରସଙ୍ଗରେ ଆମକୁ ସାକ୍ଷାତ ପାଇଁ ସମୟ ନ ଦେବା ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ସମ୍ବେଦନଶୂନ୍ୟତାକୁ ପ୍ରମାଣ କରୁଛି ବୋଲି ସେମାନେ କହିଛନ୍ତି ।
 
ଗତ ୨୧ ରୁ ୨୩ ତାରିଖ ଗୋପାଳପୁର, ଟିକାବାଲି, ହରିଚନ୍ଦନପୁର ସମେତ ବିଭିନ୍ନ ଅଞ୍ଚଳ ଗସ୍ତ ଶେଷକରି ୨୪ ତରିଖ ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସମ୍ବାଦଦାତାଙ୍କ ଆଗରେ କୋହଭରା କଣ୍ଠରେ ଏହା କହିଛନ୍ତି ଦୀପା ଦାସମୁନ୍‌ସିଙ୍କ ନେତୃତ୍ୱାଧୀନ ଉକ୍ତ କମିଟିର ସଭ୍ୟାମାନେ ।
 
ଗୋପାଳପୁର ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ନିକଟରେ ହୋଇଥିବା ଜଘନ୍ୟ ଗଣବଳାତ୍କାର, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଏବଂ ରାଜ‍୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା, ଶିଶୁ ନିଖୋଜ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି କଂଗ୍ରେସ ।
 
ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଦୀପା ଦାସମୁନ୍‌ସି କହିଥିଲେ, ରାଜ୍ୟରେ ନିଖୋଜ-ଚାଲାଣ ଓ ଦୁଷ୍କର୍ମ ଏବେ ନିତିଦିନିଆ ଘଟଣା ହୋଇଛି । ଏହିପରି ଅନେକ ଘଟଣା ଲୁଚିଯାଉଛି । ଭାଗ୍ୟକୁ ଉକ୍ତ ପୀଡ଼ିତାର କଂକାଳ ମିଳିଗଲା ବୋଲି, ନହେଲେ ସେଇ ଦୁଷ୍କର୍ମ ଘଟଣା ମଧ୍ୟ ଲୋକଲୋକଚନକୁ ଆସି ନ ଥା’ନ୍ତା । ମହିଳା ମାନେ ଆମକୁ ସୁରକ୍ଷା ମାଗୁଛନ୍ତି । ବହୁତ ଆଶା ଥିଲା, ମୁଖ୍ୟମନ୍ତ୍ରୀଙ୍କୁ ସବୁକଥା କହିବୁ। ତେବେ ଦୁଃର ସହ ଫେରିବାକୁ ପଡ଼ୁଛି । ଆମେ ଅନୁଭବ କରିଥିବା ହୃଦୟବିଦାରକ ଘଟଣାଗୁଡ଼ିକର ବିବରଣୀ ଦଳର କେନ୍ଦ୍ରୀୟ ନେତୃତ୍ବକୁ ପ୍ରଦାନ କରିବୁ । ଏହି ଦଳରେ ଥିବା ସାଂସଦମାନେ ଏହି ପ୍ରସଙ୍ଗକୁ ସଂସଦର ଉଭୟ ଗୃହରେ ଉଠାଇବେ। ଜଣେ ଅଞ୍ଜନାଙ୍କ ପ୍ରସଙ୍ଗରେ ଦିନେ ରାଜ୍ୟରେ କଂଗ୍ରେସ ସରକାର ଗାଦିଚ୍ୟୁତ ହୋଇଥିଲା । ଏବେ ତ ଶହଶହ ଅଞ୍ଜନା ନା ମାମଲା ହେଉଛି ବୋଲି ସେ ଦୁଃଖପ୍ରକାଶ କରିବା ସହ ସରକାରଙ୍କୁ ଚେତାଇଦେଇଥିଲେ । ଦିଲ୍ଲୀ ଫେରିଯାଇ କଂଗ୍ରେସ ଅଧ୍ୟକ୍ଷ, ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ରିପୋର୍ଟ ପ୍ରଦାନ ପରେ ସେଠାରେ ଏକ ଜାତୀୟ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ କହିବୁ ବୋଲି ସେ ପ୍ରକାଶ କରିଥିଲେ ।
 
ରାଜ୍ୟସଭା ସଦସ୍ୟା ରଞ୍ଜିତ ରଂଜନ କହିଥିଲେ, ଯେ ଯାଏ ଦଣ୍ଡବିଧାନ ନ ହୋଇଛି, ବଳାତ୍କାରୀ ବାରମ୍ବାର ଦୁଷ୍କର୍ମ କରେ । ମଦ-ଡ୍ରଗ୍ସ-ମାଫିଆ ଓ ଶାସକ-ପ୍ରଶାସକଙ୍କ ଏକ ଅସାଧୁ ମେଣ୍ଟ ଯୋଗୁଁ ଆସାମୀମାନେ ଦୁଷ୍କର୍ମ ଏପରିକି ଗଣଦୁL‌କେର୍ମ ଓ ହତ୍ୟା ପରେ ବି ଅବାଧରେ ବିଚରଣ କରୁଛନ୍ତି । ପ୍ରଶାସନର ଯାହା ପାଖକୁ ଗଲେ ସେଇ ଗୋଟିଏ ମାନସିକତା:- ‘ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ କଥା’ କହି ଘଟଣାକୁ ହାଲୁକା ଭାବେ ନେଉଛନ୍ତି । କ’ଣ ସମାଜରେ ନିଜ ସାଥୀ ବାଛିବାର ମଧ୍ୟ ସ୍ୱାଧୀନତା ନାହିଁ? ଭାରତର ରାଷ୍ଟ୍ରପତି ଓଡ଼ିଶାର ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ସାକ୍ଷାତ ପାଇଁ ସମୟ ମାଗିବୁ ।
Women not safe in Odisha: fact-finding team of AICC
 
ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଜା କହିଥିଲେ, ଓଡ଼ିଶାରେ ପ୍ରତି ୫ କିଲୋମିଟରରେ ଜଣେ ଶିଶୁ ନିର୍ଯାତନାର ଶିକାର ହେଉଥିବା ବେଳେ ପ୍ରତି ୧୦ କିଲୋମିଟରରେ ଜଣେ ଶିଶୁ ନିଖୋଜ । ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଭିନ୍ନ ପ୍ରଶାସନିକ ସ୍ତରରେ ସେଇ ସମାନ ଉଦାସୀନ ମାନସିକତା ଥିବା ଦେଖିଲୁ। ଲୋକେ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମଧ୍ୟ ଦୁଷ୍କର୍ମକାରୀ ନିର୍ଭୟରେ ବୁଲିବା ଦ୍ୱାରା ଅପରାଧକୁ ପ୍ରୋତ୍ସାହନ ଦିଆଯାଉଥିବା ସ୍ପଷ୍ଟ । କଥା ଆମେରିକା ଜାଣିଲାଣି, ଅଥଚ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ୁନି!
 
ଓଡ଼ିଶା ପରି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟରେ ଏବେ ‘ଭ୍ରଷ୍ଟାଚାର’ ଓ ‘ବଳାତ୍କାର’ ଛଡ଼ା ଆଉ ଶବ୍ଦ ନ ଶୁଭୁଥିବା ପରି ଅନୁଭବ ହେବା ଦୁର୍ଭାଗ୍ୟଜନକ ବୋଲି ସୋଲାପୁରର ଲୋକସଭା ସାଂସଦ ପ୍ରଣିତୀ ସିନ୍ଦେ କହିଥିଲେ। ସଂପୃକ୍ତ ସ୍ଥାନଗୁଡ଼ିକର ପ୍ରଶାସନ ପ୍ରବଳ ଚାପରେ ଅଛନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଆମକୁ ସମୟ ଦେଉନାହାନ୍ତି ସେ ସାଧାରଣ ଲୋକଙ୍କୁ କ’ଣ ଶୁଣିବେ ବୋଲି ସୁଶ୍ରୀ ସିନ୍ଦେ ପ୍ରଶ୍ନ କରିଥିଲେ
 
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନା ନାରୀଙ୍କୁ ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ରାଜ୍ୟରେ ନାରୀ ହିଂସା ବଢୁଛି । ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଲା । ଦୁଃଖ ଶୁଣିଲା । ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି । ବର୍ଷେ ହେଲାଣି, ମହିଳା କମିଶନ ଗଢ଼ା ହେଉନି । ମହିଳାଟେ ଦୁଃଖ କହିବ ତ, କେଉଁଠି କହିବ? ଏଠି ଲୋକେ ବହୁତ ଆଶା ରଖି ବିଜେପିକୁ ଭୋଟ ଦେଇଥିଲେ । ହେଲେ ଏ ସରକାର ତାଙ୍କୁ ନିରାଶ କରିଛି । ମୁଖ୍ୟମନ୍ତ୍ରୀ ସମୟ ଦେଲେନି, କଲ ରିସିଭ କଲେନି । ଚିଠି ଉତ୍ତର ସୁଦ୍ଧା ଦେଲେନି ବୋଲି ଭକ୍ତ କହିଛନ୍ତି । ତିନିଜଣ ସାଂସଦଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ ଦଳକୁ ଯଦି ସରକାର ସମୟ ଦେଲେନି, ଆଉ କାହାକୁ ଦେବେ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯିବନି । କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ ବସିବ ନାହିଁ । ଶେଷ ନିର୍ଯାସ ଯାଏ ଲଢ଼ିବ ବୋଲି ସେ କହିଥିଲେ ।
 
ସାଂସଦ ରଞ୍ଜିତ ରଞ୍ଜନ କହିଥିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ । ହେଲେ ପ୍ରଶାସନ ଚୁପ ହୋଇ ବସିଛି। ନିଷ୍କ୍ରିୟ ସରକାର ପାଇଁ ଆଜି ରାଜ୍ୟରେ ଏଭଳି ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ମହିଳା ଗଣ ଦୁଷ୍କର୍ମ ଓ ହତ୍ୟା ହେବା କଥାକୁ ସରକାର ଶୁଣିବାକୁ ନାରାଜ। ଓଡିଶା ସରକାର ଗଣଦୁଷ୍କର୍ମ କଥାକୁ ଗୋଟେ ନୂଆ କଥା କହୁଛନ୍ତି ଗ୍ରାଲଫେଣ୍ଡ ଓ ବୟଫେଣ୍ଡ କଥା । ବେଟି ବଚାନା ହେ ତୋ ବିଜେପି ସେ ବଚନା ହେ । ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ । ସେ ଓଡିଶାରୁ ଯାଇ ଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବୁ । ୧ ବର୍ଷ ହେବ ମହିଳା କମିଶନ ଗଢ଼ା ହେଉନଥିବା କଥା କହିବୁ । ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସାଂସଦ ରଂଜିତ କହିଥିଲେ । ଓଡ଼ିଶାର ମହିଳା ଗଣଦୁଷ୍କର୍ମ କଥା ରାଷ୍ଟ୍ରପତିଙ୍କ ପାଖକୁ ନେବୁ । ଦିଲ୍ଲୀରେ ଏ ପ୍ରସଂଗ ଉଠାଇବୁ। ଏଠାକାର ମୁଖ୍ୟମନ୍ତ୍ରୀ ମହିଳା ସରୁକ୍ଷା ପାଇଁ ସମୟ ନାହିଁ।
 
ସାଂସଦ ଏସ ଯୋଥିମଣୀ କହିଲେ କି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୁଷ୍କର୍ମ କରି ମାରି ଦିଆଯାଇଛି। ଏଥିରୁ ରାଜ୍ୟରେ କଣ ସ୍ଥିତି ତାହା ଅନୁମାନ କରି ହେଉଛି ।
 

By Nirvay

Leave a Reply

Your email address will not be published. Required fields are marked *