ରେଗୁଲେଟେଡ୍ ମାର୍କେଟିଂ କମିଟି ଯାଜପୁର ସୂଚନା ଅଧିକାର ଆଇନ ପରିସର ଭୁକ୍ତ ନୁହେଁ ବୋଲି ଓଡିଶା ସୂଚ଼ନା କମିଶନଙ୍କ ନିଷ୍ପତିକୁ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ସୂଚନା କମିଶନ ଓ ଆରଏମସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଶାନ୍ତିଲତା ସାହୁ ୨୦୨୨ ଡିସେମ୍ବର ୧୨ ରେ ରେଗୁଲେଟେଡ୍ ମାର୍କେଟିଙ୍ଗ କମିଟି, ଯାଜପୁରକୁ ସେଠାର ପରିଚାଳନା ବ୍ୟବସ୍ଥା ଓ ଅନ୍ୟାନ୍ୟ ଅନିୟମିତତା ସମ୍ପର୍କରେ ତଥ୍ୟ ମାଗିଥିଲେ । ଜନ ସୂଚ଼ନା ଅଧିକାରୀ( ପିଆଇଓ) ଅସଂପୂର୍ଣ୍ଣ ତଥ୍ୟ ଦେବାରୁ ଶ୍ରୀମତୀ ସାହୁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଠାରେ ଅପିଲ କରିଥିଲେ । ପ୍ରଥମ ଅପିଲ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପିଆଇଓ କୌଣସି ତଥ୍ୟ ନା ଦେବାରୁ ସେ ସୂଚନା କମିଶନରେ ଦ୍ଵିତୀୟ ଅପିଲ କରିଥିଲେ।

ଦ୍ୱିତୀୟ ଅପିଲ ଶୁଣାଣି ସମୟରେ ଶାନ୍ତିଲତାଙ୍କ ତରଫରୁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ସତ୍ତ୍ବେ ପିଆଇଓ କିପରି ତଥ୍ୟ ଦେଇନାହାଁନ୍ତି, ତାହା ଉପସ୍ଥାପନା କରାଯାଇଥିଲା। ଆରଏମ୍‌ସି ତରଫରୁ ସେମାନେ ସୂଚନା ଅଧୁକାର ଆଇନ୍‌ର ପରିସରଭୁକ୍ତ ନୁହେଁ ବୋଲି ଦର୍ଶାଯାଇଥୁଲା। ଓଡ଼ିଶା ଏଗ୍ରିକଲ୍‌ଚର ପ୍ରଡ୍ୟୁସ୍ ମାର୍କେଟିଙ୍ଗ ଆକ୍ଟ ଅଧିନରେ ଏହି ସଂସ୍ଥା ଗଠନ ହୋଇଥିବାରୁ ଉକ୍ତ ସଂସ୍ଥା ସୂଚନା ଆଇନ୍ ଅନୁଯାୟୀ ଏକ ‘ଜନକର୍ତ୍ତୃ ପକ୍ଷ’ଅଟନ୍ତି ଏବଂ ଏହି ସଂସ୍ଥା ସୂଚନା ଆଇନ୍‌ର ପରିସରଭୁକ୍ତ ବୋଲି ଯୁକ୍ତି କରାଯାଇଥିଲେ ମଧ୍ଯ ସୂଚନା କମିଶନ ଏହା ଶୁଣିନଥିଲେ । ସୂଚନା କମିଶନ ଅତୀତରେ କିଛି ମାମଲାର ଉଦାହରଣ ଦେଇ ଆରଏମ୍‌ସି ଯାଜପୁର ସୂଚନା ଆଇନର ପରିସରଭୁକ୍ତ ନୁହେଁ ବୋଲି ଦର୍ଶାଇ କେସ୍‌କୁ ଖାରଜ କରିଥିଲେ । ଏହାପରେ ଶାନ୍ତିଲତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୂଚନା କମିଶନ ଆବେଦନକାରୀଙ୍କୁ

ତାଙ୍କ ପକ୍ଷ ରଖିବାକୁ ଦେଇ ନାହାନ୍ତି ଏବଂ କମିଶନଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଥିବା ମାମଲାଗୁଡିକ ଏହି ମାମଲାରେ ଲାଗୁ ହେବ କି ନାହିଁ, ତାହା ମଧ୍ୟ ପକ୍ଷ କରିବାକୁ ଦେଇନାହାନ୍ତି ବୋଲି ଜଣାଯାଇଥିଲା। ଏହି ଆଧାରରେ ମାନ୍ୟବର ଅଦାଲତ ଓଡିଶା ସୂଚନା କମିଶନ ଏବଂ ଆରଏମସି ଯାଜପୁରକୁ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଅଖଣ୍ଡ ମାମଲା ପରିଚାଳନା କରୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୬ ତାରିଖରେ ହେବ |

Leave a Reply

Your email address will not be published. Required fields are marked *