ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଭୂବନେଶ୍ୱରର ରାଜୀବ ଭବନ ଏବଂ ନଅ ତାଲା ଭଙ୍ଗାଯିବ ବୋଲି ଘୋଷଣା କରି ବଡ଼ ଆଲୋଡ଼ନ ସୃଷ୍ଟି କରିଛନ୍ତି । ପ୍ରାୟ ୨୦ ମାସ ଭିତରେ ମୋହନ ସରକାର କିଛି ଗଢ଼ି ନଥିବାବେଳେ ହଠାତ ଭାଙ୍ଗିବା ପାଇଁ ଏଭଳି ଘୋଷଣା ପୂର୍ତ୍ତମନ୍ତ୍ରୀ କଲେ କାହିଁକି? ପୁଣି ଏପରି ସମୟରେ କଲେ, ଯେତେବେଳେ ପ୍ରଦୂଷଣ ସାର୍ଟିଫିକେଟ, ସ୍ମାର୍ଟ ମିଟର ଏବଂ ଧାନ କିଣାକୁ ନେଇ ଅସନ୍ତୋଷ ଚରମରେ ପହଞ୍ଚିବାକୁ ଆରମ୍ଭ କରିଛି । ଅସମୟରେ ପୃଥ୍ବୀରାଜଙ୍କର ଏଭଳି ଭଙ୍ଗା ନିଷ୍ପତିକୁ ଲୋକେ ଭଲ ମନରେ ନେଇନାହାନ୍ତି । ଏହା ଅସନ୍ତୋଷ ପୁସ୍ତକ ପାଇଁ ଆଉ ଗୋଟିଏ ପର୍ଦ୍ଦ ଯୋଡ଼ିବାକୁ ଯାଉଛି। ଆମ ଆଖିଆଗରେ ନିର୍ମାଣ ହୋଇଛି ଭୁବନେଶ୍ବରର ରାଜୀବ ଭବନ। କଂଗ୍ରେସ ସରକାରଙ୍କ ଅମଳରେ ରାଜୀବ ଗାନ୍ଧୀଙ୍କ ନାମରେ ଅନେକ ରାଜ୍ୟରେ ଏଭଳି ଭବନ ନିର୍ମାଣ ହୋଇଥିଲା । ୧୯୯୯ରେ ଭୁବନେଶ୍ବରର ରାଜୀବ ଭବନ ନିର୍ମାଣ ସରିଲା । ମୁଖ୍ୟତଃ ଏହା ଜଳ ସମ୍ପଦ ଭବନ ଭାବେ ଚିହ୍ନଟ ହେଉଥିଲା । ରାଜୀବ ଭବନ ତୁଳନାରେ ନଅ ତାଲା ଅବଶ୍ୟ ଯଥେଷ୍ଟ ପୁରୁଣା। ଏକଦା ଏହାହିଁ ଭୁବନେଶ୍ୱରର ପରିଚୟ ଥିଲା । ଯେତେବେଳେ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା କଟକରୁ, ସେତେବେଳେ ପ୍ରଶାସନିକ ବ୍ୟବସ୍ଥା ସକାଶେ ନଅ ତାଲା ଗଢ଼ା ହୋଇଥିଲା । ଅର୍ଥାତ ଏହା ପ୍ରାୟ ୭୫ ବର୍ଷର କୋଠ । ପୂର୍ତ୍ତମନ୍ତ୍ରୀ ନୂଆ ବିଧାନସଭା ଓ ଲୋକସଭା ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଅଚାନକ ରାଜୀବ ଭବନ, ନଅ ତାଲା ଏବଂ ବର୍ତ୍ତମାନର ଲୋକସେବା ଭବନ ଭଙ୍ଗାଯିବ ବୋଲି ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କାରଣ ସରୂପ କହିଛନ୍ତି ଯେ ରାଜୀବ ଭବନ ଓ ନଅ ତାଲା ଦିପଦଶଙ୍କୁଳ ବୋଲି ଚିହ୍ନଟ କରାଯାଇଛି । ଭାରତର ଅନ୍ୟତ୍ର ନଅ ତାଲାଠାରୁ ପୁରୁଣା ଐତିହ୍ୟ ସମ୍ପନ୍ନ କୋଠାବାଡ଼ି ଅଛି । ପଶ୍ଚିମବଙ୍ଗ ରାଇଟର୍ସ ବିଲଡିଂ ଓ ଲାଲ୍ବାଗ୍ ଭୁବନେଶ୍ଵରର ନଅ ତାଲାଠାରୁ ବହୁତ ପୁରୁଣା । ଇଂରେଜ ସରକାରଙ୍କ ଅମଳର । ତେବେ ନଅ ତାଲା ନିର୍ମାଣ ସଠିକ୍ ଢଙ୍ଗରେ ହୋଇଥିଲା କି ନାହିଁ ତାହା ତର୍ଜମାର ବିଷୟ । କିନ୍ତୁ ଯେଉଁ ସମୟରେ ହୋଇଥିଲା, ସେତେବେଳେ ଠକ ଠିକାଦାରଙ୍କ ସଂଖ୍ୟା ନଥିଲା କହିଲେ ଚଳେ । କିନ୍ତୁ ରାଜୀବ ଭବନର ବୟସ ମାତ୍ର ୨୭ । ଏହି ଭବନଟି ବିପଦସଙ୍କୁଳ ବୋଲି କେଉଁ ସଂସ୍ଥା ରିପୋର୍ଟ ଦେଇଛି ? ନଅ ତାଲା ବାବଦରେ ରିପୋର୍ଟ ଦାତା କିଏ ? କେଉଁ ସରକାରଙ୍କ ଅମଳରେ ସରକାରୀ କୋଠାବାଡି ସମ୍ପର୍କରେ ରିପୋର୍ଟ ଦେବାକୁ କେଉଁ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା ? ପୂର୍ତ୍ତମନ୍ତ୍ରୀ ଅନୁଗ୍ରହପୂର୍ବକ ବିପଦସଙ୍କୁଳ ରିପୋର୍ଟ ବାବଦରେ ଓଡ଼ିଶାବାସୀଙ୍କୁ ବିଶ୍ବାସକୁ ନିଅନ୍ତୁ ଏବଂ ଏହି ରିପୋର୍ଟକୁ ସାର୍ବଜନୀନ କରିଦିଅନ୍ତୁ । ଯଦି ୨୭ ବର୍ଷର ଏକ ସରକାରକାରୀ କୋଠା ବିପଦଶଙ୍କୁଳ ବୋଲି ରିପୋର୍ଟ ଆସିଥାଏ, ତେବେ ତାହା ଚିନ୍ତାଜନକ। ସବୁ ସରକାରୀ କୋଠା ବାବଦରେ ସରକାରଙ୍କ ପାଖରେ ରିପୋର୍ଟ ଅଛି କି ? ସହୀଦନଗରର ଆଲୋକ ଭାରତୀ ଟାଓ୍ୱାର୍ସର ବୟସ ରାଜୀବଭବନଠୁ ଅଧିକ । ଏହା ୧୯୮୭ରେ ନିର୍ମିତ ହୋଇଥିଲା । ଏହା ନିର୍ମାତା ଥିଲେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ। ଏହା ମଧ୍ୟ ବିପଦଶଙ୍କୁଳ ବୋଲି ଅନେକ କହିଥାନ୍ତି। ତେଣୁ କେଉଁକେଉଁ ସରକାରୀ କୋଠା ବିପଦଶଙ୍କୁଳ, ଏହି ସବୁକୁ ଭାଙ୍ଗିବା ପାଇଁ ସରକାର କିଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି, ସେ ବାବଦରେ ସରକାର ସ୍ପଷ୍ଟ କରିବା ଆବଶ୍ୟକ । ତେବେ ପ୍ରଥମେ ରାଜୀବ ଭବନ ଓ ନଅ ତାଲାର ବିପଦ ସଂକ୍ରାନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବା ନିହାତି ଆବଶ୍ୟକ। ଲୋକଙ୍କର ଧାରଣା ଯେ ମୌଳିକ ପ୍ରାଥମିକତା ପୂରଣ ପାଇଁ ଯେଉଁ ସରକାର ଧ୍ୟାନ ଦେଉନାହାନ୍ତି, ସେହି ସରକାର ରାଜୀବ ଭବନ ଓ ନଅ ତାଲା ଭାଙ୍ଗି ଏବଂ ଗଢ଼ି କେବଳ ବଡ଼ ଅର୍ଥ ଆଦାୟର ଯୋଜନା ବନାଉଛନ୍ତି । ଲୋକଙ୍କ ଧାରଣା ଏବଂ ସନ୍ଦେହକୁ ବଦଳାଇବ କିଏ ? Post navigation Puri Shrimandir: ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍; ଭିଡିଓ ଭାଇରାଲ