ଗିରଫ ହେଲେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାର ଦୁଇ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଫକୀର ମୋହନ କଲେଜ ବିଏଡ ବିଭାଗ ଏଚଓଡି ସମୀର କୁମାର ସାହୁ ଓ ସହଯୋଗୀ ଅଭିଯୁକ୍ତ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଘୋଷ । ସୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଏଚଓଡି ଭାବେ ଦୁଇଜଣଙ୍କ ଅଖଣ୍ଡ କ୍ଷମତା । କାହାକୁ ପାସ କରିବେ, କାହାକୁ ଫେଲ କରିବେ, କାହାକୁ ଦଣ୍ଡ ଦେବେ ବା କାହାକୁ ପୁରସ୍କାର ଦେବେ, ଏହା ଥିଲା ସେମାନଙ୍କ ବାମ ହାତର ଖେଳ । ତେବେ ସମୀର ସାହୁ ଏଚଓଡି ହେଲେ କିପରି ? ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଏଚଓଡି ହେବାର ତାଙ୍କର ଯୋଗ୍ୟତା ନାହିଁ । ଏଚଓଡି ହେବାକୁ ଅତ୍ୟନ୍ତ ପକ୍ଷେ ଆସୋସିଏଟ ପ୍ରଫେସର ହେବା ଆବଶ୍ୟକ। ଯାହା ଶୁଣାଯାଏ, ମୁଖ୍ୟ ଅଭିଯୁକ୍ତ ଏଚଓଡି ସମୀର ବିଜୁ ଜନତା ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକଙ୍କ ଶାଳକଙ୍କ ଶାଳକ। ବିଜଦ ଶାସନ କାଳରୁ କଲେଜରେ ନିଯୁକ୍ତି ପାଇଥିଲେ ସେ। ପୂର୍ବତନ ମନ୍ତ୍ରୀଙ୍କ ପ୍ରଭାବରୁ ଆଗକୁ ମଧ୍ୟ ବଢିଥିଲେ । ଶେଷରେ ବିଇଡି ବିଭାଗର ମୁଖ୍ୟ ବି ହୋଇଥିଲେ । ରାଜନୈତିକ ପୃଷ୍ଠପୋଷକତା ଥିବାରୁ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ। ବିଜଦ ନେତାଙ୍କ ସହାୟତାରେ ଏଚଓଡି ହୋଇପାରିଥିଲେ ବି କଂଗ୍ରେସ ପ୍ରତି ତାଙ୍କର ଅନୁରକ୍ତି ଥିଲା । ଯାହା କୁହାଯାଏ ରକ୍ତ କଂଗ୍ରେସ । ତେଣୁ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କୁ ଦେଖିଲେ ନାଭି ଡେଇଁବା ସ୍ବାଭାବିକ । କଲେଜରେ ସେଇଆ ହିଁ ହେଉଥିଲା । ପୀଡିତା ଜଣକ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ହୋଇଥିବାରୁ ଏଚଓଡିଙ୍କ ନିର୍ଯ୍ୟାତନାର ଶିକାର ହୋଇ ଚାଲିଥିଲେ ବାରମ୍ବାର । ଫେଲ ହେଲେ, ପରୀକ୍ଷାରୁ ବଞ୍ଚିତ ହେଲେ, ଶେଷରେ ଯୌନ ଇଶାରା ବି ପାଇଲେ। ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଘୋଷଙ୍କ ଭିଭିଭୂମୀ ମଧ୍ୟ ସେଇଆ । ଘର ତାଙ୍କର ଜଳେଶ୍ବର ବ୍ଲକର ପ୍ରହାରାଜପୁର । ତାଙ୍କ ପିତା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକଙ୍କ ବଡ ଭକ୍ତ । ବିଜଦର ଜଣେ ସକ୍ରିୟ ସଦସ୍ୟ । ପିତାଙ୍କ ରାଜନୈତିକ ସମ୍ପର୍କ ତଥା ପ୍ରଭାବରୁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ୍ୟତା ନ ଥାଇ ବି କଲେଜର ଅଧ୍ୟକ୍ଷ ହୋଇପାରିଥିଲେ ଡକ୍ଟର ଘୋଷ ଭାରପ୍ରାପ୍ତ ହେଲେ ବି ସୟଂ ଶାସିତ କଲେଜର ଅଧ୍ଯକ୍ଷ ମାନେ କଥା ଅଲଗା । ନାହିଁ ନ ଥିବା କ୍ଷମତା ଉପଭୋଗର ସୁଯୋଗ । ସେ କାଳେ ମେରି ରାୟ ଶାସନ ଚଳାଇ କାହାରି କଥା ଶୁଣନ୍ତି ନାହିଁ ବୋଲି ଆଲୋଚନା ହୁଏ । ଚାକିରିରେ କଳା ଦାଗ ନ ଲାଗିବା ଭୟରେ ତାଙ୍କୁ ଅନ୍ୟ ଅଧ୍ୟାପକମାନେ ବି ଡରନ୍ତି । ଯାହା ଶୁଣାଯାଏ, ତାଙ୍କର ବାମପନ୍ଥୀ ବିଚାରଧାରା ପ୍ରତି ପ୍ରେମ ବହୁତ । ଦେଶରେ ଇଂରେଜ ଶାସନକୁ ପ୍ରଶଂସା କରନ୍ତି ସେ । ଏପଟେ ବାପାଙ୍କ ବିଜଦ ପ୍ରେମ, ସେପଟେ ନିଜେ ବାମପନ୍ଥୀ ଚିନ୍ତାଧାରାର, ଅତଏବ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଥିବା ଛାତ୍ରୀଙ୍କ ପ୍ରତି ତାଙ୍କର କେମିତି ବ୍ୟବହାର ଥିବ ତାହା ବେଶ୍ ଅନୁମେୟ। ଠିକ୍ ତାହା ହିଁ ଘଟିଥିଲା। ଉପରକୁ ଭାରି ଭଦ୍ର ଦେଖା ଯାଉଥିଲେ ବି ଭିତରେ ଛାତ୍ରୀଙ୍କ ପ୍ରତି ତାଙ୍କର ଘୃଣା ଭାବ ଭରି ଭରି ଥିଲା । କେମତି ଝିଅଟିକୁ ଖାଲରେ ପକାଇବେ ସେହି ଚିନ୍ତାରେ ଥିଲେ ସେ । ଯେତେବେଳେ ଏଚଓଡିଙ୍କ ବିରୋଧରେ ଛାତ୍ରୀଜଣକ ଅଭିଯୋଗ କଲେ ସେତେବେଳେ ବାଦ ସୁଝାଇବାକୁ ସବୁ ଭୂଲ ତାଙ୍କର ବୋଲି ଦେଖାଇଦେଲେ। କଲେଜର ଆଇସିସି କମିଟି ସଦସ୍ୟଙ୍କୁ ପ୍ରଭାବିତ କରି ଏଚଓଡିଙ୍କୁ କ୍ଲିନ ଚିଟ୍ ଦେଇଦେଲେ । ଛାତ୍ରୀଙ୍କୁ କଲେଜରୁ ବହିଷ୍କାରର ଧମକ ବି ଦେଲେ। ଗୋଟିଏ ପରେ ଗୋଟିଏ ଜାଗାରୁ ନିରାଶ ହେଉଥିବା ବେଳେ ପିଡିତା ପହଞ୍ଚିଥିଲେ ସାଂସଦଙ୍କ ପାଖରେ । ଘଟଣାଟି ଜୁଲାଇ ୧ ତାରିଖର କଥା । ନିଜକୁ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ବୋଲି ପରିଚୟ ଦେଇଥିଲେ ବି ସାଂସଦ ତାଙ୍କୁ ଅଚିହ୍ନା କରିଥିଲେ । ତଥାପି ନିଜର ସମସ୍ୟା ବଖାଣି ଥିଲେ । ସହୃଦୟ ସାଂସଦ ତୁରନ୍ତ କଲେଜ ଅଧ୍ୟକ୍ଷଙ୍କୁ ଫୋନ କଲେ, ତାଗିଦ କଲେ, ତାପରେ ଭୁଲିଗଲେ । କିନ୍ତୁ ଯାହା ଶୁଣିବାକୁ ମିଳେ, ପୁଲିସର ତନାଘନା ପରେ ସେତେବେଳର ଅଧକ୍ଷ ସାଂସଦଙ୍କୁ ଫୋନ କରି ସସମ୍ୟାର ସମାଧାନ ପାଇଁ ପରାମର୍ଶ ମାଗିଥିଲେ । ଏମିତି ଥରେ ନୁହେଁ ଦୁଇ ଚାରି ଥର ଫୋନ କରିଛନ୍ତି ସେ । ସାଂସଦ ଝିଅକୁ ବୁଝାସୁଝା କରିବାର ପରାମର୍ଶ ଦେଇଥିବା ମଧ୍ୟ ଶୁଣିବାକୁ ମିଳେ । ଅବଶ୍ୟ ଏବେ ସାଂସଦ ଏସପିଙ୍କୁ ଏବାବଦରେ ଫୋନ କରି ପଚାରିଥିବା କହୁଛନ୍ତି, ତାହାର ସତ୍ୟତା କେତେ ସେ ହିଁ ଜାଣିଥିବେ । ମାତ୍ର ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ସାଂସଦ ଛାତ୍ରୀଟିର ସମସ୍ୟା ବାବଦରେ କିଛି ଖୋଜ ଖବର ନେଲେନାହିଁ କାହିଁକି ? Post navigation ବିଫଳ ବ୍ୟବସ୍ଥା ସୌମ୍ୟାଶ୍ରୀଙ୍କ ଜୀବନ ନେଲା କହିଲେ ନବୀନ ପଟ୍ଟନାୟକ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ବିଜେଡିର ବିକ୍ଷୋଭ ଆରମ୍ଭ