ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ବ । ୧୯୮୮ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗାଡେ ମଙ୍ଗଳବାର ସକାଳେ ପୁଲିସ ମହାନିର୍ଦ୍ଦେଶକ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗ (ଆରପିଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ନୂଆ ଦାୟିତ୍ବ ନେଇ ବିଜ୍ଞପ୍ତି ଜାରି କଲେ ରାଜସ୍ଥାନ ସରକାର । ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଉତ୍କଳ ରଂଜନ ।

ଏହି ପଦବୀ ପରେ ଉତ୍କଳ ରଂଜନ ସାହୁ କହିଛନ୍ତି , ରାଜ୍ୟ ସରକାରଙ୍କ ଆଦେଶାନୁସାରେ ତାଙ୍କୁ ଦାୟିତ୍ବ ମିଳିଛି। ଏହାକୁ ନିଷ୍ଠାର ସହିତ ପାଳନ କରିବି। ମୁଁ ଗତ ୩୫ ବର୍ଷ ହେଲା ସରକାରୀ ସେବାରେ ରହିଛି ଏବଂ ସବୁବେଳେ ଆଦେଶର ପାଳନ କରିଛି। ବର୍ତ୍ତମାନ ନୂଆ ଦାୟିତ୍ବ ମିଳିଥିବାରୁ, ମୁଁ ସଂପୂର୍ଣ୍ଣ ଭାବେ ଉଦ୍ୟମ କରିବି ଯେ, ଏହି ପଦ ଅନୁସାରେ କାମ କରାଯିବ।

ସୂଚନା ଯୋଗ୍ୟ; ଆଇପିଏସ ଉତ୍କଳ ରଞ୍ଜନ ସାହୁ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ମୂଳତଃ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଗ୍ରାମର ଅଟନ୍ତି । ସେ ୧୮ ନଭେମ୍ବର ୧୯୯୧ରେ ଯୋଧପୁର ଏଏସ୍‌ପି ଭାବରେ ତାଙ୍କର ପୁଲିସ ସେବା ଆରମ୍ଭ କରିଥିଲେ। ଏହା ପରେ, ସେ ସିକର, ହନୁମାନଗଡ଼, ବାରମେର, ବାଂସୱାଡ଼ା, ଶ୍ରୀଗଙ୍ଗାନଗର, ଭିଲୱାରା, ଧୋଲପୁର ଏବଂ ଯୋଧପୁର ଜିଲ୍ଲାରେ ଏସପି ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *