ଯାଜପୁରରେ ରଥଯାତ୍ରାରେ ଅଘଟଣ। ରଥଦାଣ୍ଡରେ ମହାପ୍ରଭୁଙ୍କ ପହଣ୍ଡି ଓ ଚାରମାଳ ଖୋଲିବାକୁ ନେଇ ହତାହାତି ହେଲେ ଦୁଇ ସେବାୟତ ଗୋଷ୍ଠୀ । ଏକ ଅଭାବନୀୟ ଘଟଣା ଘଟିଛି ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦାରେ । ସୁକିନ୍ଦାରେ ରଥଟଣା ସରିବାପରେ ଠାକୁରଙ୍କୁ ରଥରୁ ଓହ୍ଲାଇ ଦେବାକୁ ନେଇ ମନ୍ଦିରର ଦୁଇ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ର ରୂପ ନେବା ସହ ଦୁଇ ଗୋଷ୍ଠୀ ହତାହାତି ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ବେଳେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ରଥ। ତା’ପରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିର ପହଣ୍ଡି ଆରମ୍ଭ ହେବା କଥା। ହେଲେ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମତଭେଦ ଯୋଗୁ ଆରମ୍ଭ ହୋଇପାରିଲାନି ପହଣ୍ଡି। ବିବାଦ ଯୋଗୁ ପହଣ୍ଡ କରାଉଥିବା ସେବାୟତମାନେ ଠାକୁରଙ୍କୁ ରଥ ଉପରେ ଛାଡ଼ି ଘରକୁ ପଳାଇଗଲେ। ଦୀର୍ଘ ସମୟ ଧରି ତିନି ଠାକୁର ରଥ ଉପରେ ରହିଲେ। ସନ୍ଧ୍ୟା ପ୍ରାୟ ୭ରୁ ୮ଟା ଅନ୍ୟ ଗୋଷ୍ଠୀର ସେବାୟତମାନେ କିଛି ଅଣ ସେବାୟତଙ୍କୁ ଆଣି ପହଣ୍ଡି କରିବା ପାଇଁ ପ୍ରସ୍ତୁତି କରୁଥିଲେ। ଠିକ୍‌ ସେହି ସମୟରେ ରାଗି ଘରକୁ ପଳାଇ ଯାଇଥିବା ସେବାୟତମାନେ ସେମାନଙ୍କୁ ବିରୋଧ କରିଥିଲେ। ଆଉ ଚାରମାଳ ଖୋଲୁଥିବା ବେଳେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ରଥ ଉପରେ ବସିଛନ୍ତି ତିନି ଠାକୁର। ତାଙ୍କ ଆଗରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ପିଟାପିଟି ଓ ଠେଲାପେଲା ହୋଇଥିଲା। ଗଣ୍ଡଗୋଳ ନେଇ ଖବର ପାଇ ସୁକିନ୍ଦା ତହସିଲଦାର ଓ ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଥିଲା। ରାତି ପ୍ରାୟ ୩ଟା ବେଳେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା।

ଅନ୍ୟପଟେ ମାଡ଼ ନେଇ ଗୋଟିଏ ଗୋଷ୍ଠୀର ସେବାୟତମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଉଛି।

Leave a Reply

Your email address will not be published. Required fields are marked *