ଆଜି ଗଣେଶ ଚତୁର୍ଥୀ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଘ୍ନ ହର୍ତ୍ତା ବା ଅଗ୍ରପୂଜ୍ୟଙ୍କ ପୂଜା ।  ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଘରଠୁ ଆରମ୍ଭ କରି ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାକୁ ନେଇ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳିଛି ।

ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀଗଣେଶ ବିଦ୍ୟା ଓ ବୁଦ୍ଧି ଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ। କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ। ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡ଼େ ଅଗ୍ରପୂଜ୍ୟ ବିଘ୍ନହର୍ତ୍ତାଙ୍କୁ,କାରଣ ପୁରାଣ ଅନୁସାରେ ସେ ଅଗ୍ରପୂଜ୍ୟ ଏବଂ ଗଣମାନଙ୍କର ସେନାପତି ଓ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କରିବାଦ୍ବାରା ସେ କାର୍ଯ୍ୟ ବିନା ବାଧାବିଘ୍ନରେ ସୁଚାରୁରୂପେ ସମ୍ପାଦନ କରାଯାଏ ।

Leave a Reply

Your email address will not be published. Required fields are marked *