ନେତାଜୀ ସୁଭାଷଚନ୍ଦ୍ର ବୋଷ ଏକ ବଡ଼ ଡାକରା ଦେଇଥିଲେ – ଦିଲ୍ଲୀ ଚଲୋ । ସେତେବେଳେ ଇଂଗ୍ରେଜ ଶାସନ ଥିଲା । ନେତାଜୀ ଆଜାଦ ହିନ୍ଦ୍ ଫୌଜ ଗଠନ କରିଥିଲେ । ପୁରା ଭାରତର ତନ୍ତ୍ରୀକୁ ହଲେଇ ଦେଇଥିଲା ନେତାଜୀଙ୍କ ଦିଲ୍ଲୀ ଚଲୋ ଡାକରା ।

ଦିଲ୍ଲୀ ଦେଶର କ୍ଷମତା ଓ ରାଜନୀତିର ପ୍ରାଣକେନ୍ଦ୍ର। ନବୀନ ବାବୁ ସିଏମ ଥିଲା ବେଳେ ବି ଦିଲ୍ଲୀ ଯାଉଥିଲେ । କେନ୍ଦ୍ର ନେତାଙ୍କୁ ଭେଟୁଥିଲେ । ତେବେ ଆଞ୍ଚଳିକ ଦଳ ଶଙ୍ଖର ନେତା ହେଇଥିବାରୁ ନବୀନ ସେ ହିଁ ପ୍ରାୟତଃ ନିଷ୍ପତ୍ତି ନେଉଥିଲେ । ନିଜ କମିଟି ଫମିଟି ଗଢ଼ୁଥିଲେ। ଇଚ୍ଛା ହେଲେ ମନ୍ତ୍ରୀମାନଙ୍କୁ ଫୋପାଡି ଦଉଥିଲେ। ଯାହାକୁ ଇଚ୍ଛା କଲେ ଦଳରୁ ବିଦା କରିଦଉଥିଲେ। ତେବେ କେନ୍ଦ୍ରରେ ମୋଦୀ ଆସିବା ପରେ ଜାତୀୟ ପ୍ରସଙ୍ଗରେ ନବୀନଙ୍କୁ ଭାବିଚିନ୍ତି ନିଷ୍ପତି ନେବାକୁ ପଡ଼ିଚି।

କିନ୍ତୁ ଏବେ ହଠାତ ମୋହନ, ନବୀନ ଓ ମନମୋହନ ଯେମିତି ଦିଲ୍ଲୀଗଲେ ଲାଗିଲା ଏହି ତିନିନେତା ମିଶି ଦିଲ୍ଲୀ ଚଲୋ ଡାକରା ଦେଇଚନ୍ତି । ଆଉ କିଏ ନଯାଉ, ତିନି ନେତା ଦିଲ୍ଲୀ ଯାଇଚନ୍ତି । କିଛି ତ ହଉଚି ନିଶ୍ଚୟ ।

ଆଗେ ଗଲେ ମନମୋହନ । ଦି’ଦିନ ତଳୁ ଆସିଥିଲେ ଦିଲ୍ଲୀରୁ । ପୁଣି ହଠାତ ଦିଲ୍ଲୀ ଯାତ୍ରା । କୁଛି ତୋ ହୈ । କିଏ କହୁଚି ଯେ, କମିଟି ତାଲିକାରେ ଆଉ ଜଣେ ବଡ଼ ନେତା କେଁ ପୁରାଇ ଦେଇଥିବାରୁ ସେ ଗଲେ ଦିଲ୍ଲୀ । ହାଇକମାଣ୍ଡଙ୍କଠୁ ଡାକରା ଆସିଲା ।

ମନମୋହନ ଯିବାର ଦିନକ ପରେ ଗଲେ ନବୀନ । ସେ ତ ଶଙ୍ଖ ସଭାପତି । ଉପ- ରାଷ୍ଟ୍ରପତି ନିର୍ବାଚନ ପାଇଁ ପଦ୍ମ ନେତାମାନଙ୍କ ସହ ଭିତିରି ଆଲୋଚନା କୁଆଡେ କରିବେ ନବୀନ । ଏନଡିଏ ସପକ୍ଷରେ ନିଷ୍ପତ୍ତି ନବୀନ ନେବେ ବୋଲି ଚର୍ଚ୍ଚା ହଉଚି । କିଏ ବି କହିଲାଣି ଯେ, ଭୋଟ ଦେଇନପାରନ୍ତି ଶଙ୍ଖୁଆ।

କିନ୍ତୁ ଏଠାତ ମୋହନ ବି ଗଲେ ଦିଲ୍ଲୀ । ତିନି ଦିନ ତଳେ ଫେରିଥିଲେ । ତେଣୁ ଚର୍ଚ୍ଚା ଜୋର। ଆମ ଖବରକୁ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାର ସାଂସଦମାନଙ୍କ ସ‌ହ ସମନ୍ବୟ ରଖିବେ ମୋହ‌ନ । କିନ୍ତୁ ଆଉ ଚର୍ଚ୍ଚା ହଉଚି ଯେ, ଏଥର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ସବୁଜ ସଂକେତ ଧରି ଫେରିବେ ସେ। ଦେଖାଯାଉ ତିନି ନେତାଙ୍କ ଗସ୍ତରୁ କେମିତିକା ଦିଲ୍ଲୀ କା ଲଡୁ ମିଳୁଚି ।

 

Leave a Reply

Your email address will not be published. Required fields are marked *