କାର୍‌-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରିବା ସହ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ମୃତକ ମାନେ ହେଲେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ ।

ଅନ୍ୟପଟେ ଏହି ଦୁର୍ଘଟଣା ହତ୍ୟାର ଷଡ଼ଯନ୍ତ୍ର ଥିବା କହିଛନ୍ତି ଆହତ ୨ ବିଜେପି କର୍ମୀ । ସେମାନେ କହିଛନ୍ତି ଟ୍ରକ୍‌ ବାରମ୍ବାର ୩ ଥର ପଛକୁପଛ ଯାଇ କାର୍‌କୁ ଧକ୍କା ଦେଇଥିଲା । ପ୍ରଥମେ ଯେତେବେଳେ ଧକ୍କା ଦେଲା ଭାବିଲୁ ଭୁଲବଶତଃ କିନ୍ତୁ ଏହା ପରେ ବାରମ୍ବାର ଟ୍ରକ୍‌ ଜାଣିଶୁଣି ପଛକୁ ପଛ ଧକ୍କା ଦେବା ଆରମ୍ଭ କରିଥିଲା ।

ସୂଚନା ଯୋଗ୍ୟ; ଶନିବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ମୁରଲୀ ଆଉ ଦୁଇ ଜଣଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ । ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ଚିପଲିମା ସ୍ଥିତ ଘରକୁ ଫେରୁଥିଲେ । ତେବେ କଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା । ଯାହାଫଳରେ ସେମାନଙ୍କ କାର୍‌ଟି ବ୍ରିଜ୍‌ ତଳକୁ ଖସିପଡିଥିଲା । । ଏହା ପରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଗୋଶାଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହା ସହ ଏହି ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୋଲିସ ଗିରଫ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ।

ଅନ୍ୟପଟେ ଏହି ଅଭାବନୀୟ ଘଟଣାରେ ମର୍ମାହତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ସଡ଼କ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ରେଙ୍ଗାଳି ନିର୍ବାଚନମଣ୍ଡଳୀର ଆମ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସୁରେଶ ଛନ୍ଦ ଏବଂ ରାମନାରାୟଣ ପଣ୍ଡାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି । ଏହା ସହ ଦୁଃଖ ପ୍ରକାଶ କରି ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ରେଙ୍ଗାଳି ନିର୍ବାଚନମଣ୍ଡଳୀର ଆମ ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ତଥା ସାନ ଭାଇ ସଦୃଶ ବବୁଲ ଓ କର୍ଡୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁରଲୀ ଛୁରିଆଙ୍କର ମର୍ମନ୍ତୁଦ ‌ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥ‌ିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଉଭୟ ମୋର ଭାଇ ଭଳି ଓ ଅତି ଆପଣାର ଥିଲେ । ଦୁଇ ଜଣଙ୍କ ସହ ଏକ ଆତ୍ମୀୟତାର ବନ୍ଧନ ଥିଲା । ଯେତେବେଳେ ବି ଦେଖା ହୁଏ ସବୁବେଳେ ହସ ହସ ମୁହଁରେ କଥା ହୁଅନ୍ତି ।

ସେ ଆଉ ମଧ୍ୟ ଲେଖିଛନ୍ତି ଏକ ଅସମୟରେ ଦୁଇ ଜଣ ହଠାତ୍ ଚାଲିଯିବା ଖବରକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ । ଏହି ଅକାଳ ବିୟୋଗ କେବଳ ମୋ ପାଇଁ ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ଆମ ଦଳ ପାଇଁ ମଧ୍ୟ ଅପୂରଣୀୟ କ୍ଷତି । ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଓ ମା’ ସମଲେଶ୍ବରୀ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *