ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ-ପାଳନ ଯୋଜନାକୁ ମିଳିଛି ପ୍ରାରମ୍ଭିକ ସଫଳତା । ଗତ ତିନି ମାସ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ ଗୋ-ପାଳନ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆନ୍ଧ୍ର-ପ୍ରଦେଶ, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରୁ ଏହି ଗାଈ ଅଣାଯାଇଛି । ଫଳରେ ଦୁଗ୍ଧ-ଚାଷୀଙ୍କ ଜୀବନ-ଜୀବିକାକୁ ଗୋ-ପାଳନ ଯୋଜନା ଅଧିକ ସୁରକ୍ଷିତ ଓ ସଶକ୍ତ କରିଛି । ଆମ ରାଜ୍ୟରେ ଉନ୍ନତ ପ୍ରଜାତିର ଗୋ-ପାଳନ ପାଇଁ ମଧ୍ୟ ଏହା ସହାୟକ ହେବ ଓ ଅନ୍ୟମାନଙ୍କୁ ପ୍ରେରିତ କରିବ ।

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା -୨୦୨୫ ଆୟୋଜନ ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଚାଷୀମାନଙ୍କୁ ଗୋ-ଆହେଡ୍ ଲେଟର୍ ବା କାର୍ଯାଦେଶ ପତ୍ର ପ୍ରଦାନ କରିଥିଲେ । ସରକାରୀ ସହାୟତା ପାଇ ଚାଷୀମାନେ ବାହାର ରାଜ୍ୟରୁ ଦୁଧିଆଳୀ ଗାଈ କ୍ରୟ କରିଛନ୍ତି । ଏବେ ଏହି ଉତ୍କୃଷ୍ଟମାନର ଦୁଧିଆଳୀ ଗାଈ ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗେମ୍‌ଚେଞ୍ଜର୍‌ ଭାବେ ଉଭା ହୋଇଛି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଏହି ଗୋପାଳନ ଯୋଜନାରେ ପ୍ରଥମ କରି ତିନୋଟି ୟୁନିଟ ପ୍ରତିଷ୍ଠା ହୋଇଛି । ସମସ୍ତ ତିନି ଦୁଗ୍ଧ ଚାଷୀ ହେଉଛନ୍ତି ମହିଳା । ଏହି ସଫଳତା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରୁଛି । ଗୋପାଳକଙ୍କ ଜୀବିକାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟ ସରକାର ଗୋ-ପାଳନ ଯୋଜନା ଆରମ୍ଭ କରିଛନ୍ତି । ଦୈନିକ ଅତି କମରେ ୧୦ ଲିଟରରୁ ଅଧିକ ଦୁଗ୍ଧ ଦେଉଥିବା ଗାଈ କ୍ରୟ କରିବା ନିମନ୍ତେ ରାଜ୍ୟ ସରକାର ୭୦ ପ୍ରତିଶତ ପର୍ଯନ୍ତ ସବସିଡି ପ୍ରଦାନ କରୁଛନ୍ତି । ସମ୍ପୂର୍ଣ୍ଣ ସ୍ଵଚ୍ଛତାର ସହ ଚାଷୀମାନେ ସେମାନଙ୍କର ପସନ୍ଦ ମୁତବକ ଗାଈ ବାହାର ରାଜ୍ୟରୁ କ୍ରୟ କରି ପାରୁଛନ୍ତି । ଏହି ଯୋଜନାରେ ଗାଈ କ୍ରୟ କରିବାର ୭-୧୦ ଦିନ ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବସିଡି ପ୍ରଦାନ କରାଯାଇଥାଏ । ତେଣୁ ଅଧିକରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନାରେ ସାମିଲ ହେବାକୁ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *