ଜୀବନ ନେଉଛି ବିଷାକ୍ତ ଓ ଅପମିଶ୍ରିତ ମଦ। ସଚେତନ ହେଉନାହାଁନ୍ତି ଜନସାଧାରଣ। ଅପମିଶ୍ରିତ ମଦ ପିଇ ପ୍ରାଣହାନୀ ଘଟିବା ଭଳି ଦୁଃଖଦ ଘଟଣା ଆଗରୁ ମଧ୍ୟ ଘଟିଛି। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କାଲାକୁରିଚି ଜିଲ୍ଲାରେ।

ଅପମିଶ୍ରିତ ମଦ ସେବନ କରି ପ୍ରାୟ ୪୭ ଜଣଙ୍କ ମୃତ୍ୟୁ ହେଲାଣି। ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜିଲ୍ଲା କଲେକ୍ଟର ଏମଏସ ପ୍ରସନ୍ନ ଏଏନ୍‌ଆଇକୁ ଏ ନେଇ ସୂଚନା ଦେଇଛନ୍ତି। ସେହି ମୃତମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ସାମିଲ। ଅଧିକାଂଶଙ୍କ ଶବ ବ୍ୟବଚ୍ଛେଦ ହୋଇସାରିଛି। ଡାକ୍ତରଙ୍କ ଏକ ପ୍ୟାନେଲ୍ ଶୀଘ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଏକ ରିପୋର୍ଟ ଦାଖଲ କରିବ।

ତାମିଲନାଡୁ ପୁଲିସ ଏହି ଘଟଣାର ତଦନ୍ତ କରି ଗୋବିନ୍ଦରାଜ ନାମକ ଜଣେ ବ୍ୟକ୍ତିଙ୍କୁ ମଦ୍ୟ ଅପମିଶ୍ରିତ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିଛି। ଅଧିକାରୀମାନେ ତାଙ୍କଠାରୁ ୨୦୦ ଲିଟର ମଦ ମଧ୍ୟ ଜବତ କରିଛନ୍ତି। ସରକାରଙ୍କ ବିବୃତ୍ତି ଅନୁଯାୟୀ ପରୀକ୍ଷା ପରେ ଏହି ନମୁନାଗୁଡ଼ିକରେ ମିଥାନୋଲ ଥିବା ଜଣାପଡିଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସିବିଆଇ-ସିଆଇଡି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିଏମକେ ସରକାର କାଲାକୁରିଚି ଜିଲ୍ଲା କଲେକ୍ଟର ଶ୍ରାବଣ କୁମାର ଜଟାବତଙ୍କୁ ସ୍ଥାନାନ୍ତର କରିବା ସହ ପୁଲିସ ଅଧୀକ୍ଷକ ସମୟ ସିଂ ମୀନାଙ୍କୁ ନିଲମ୍ବିତ କରିଛନ୍ତି।

“କାଲାକୁରିଚିରେ ଅପମିଶ୍ରିତ ମଦ ପିଇଥିବା ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ। ଏହି ଘଟଣାରେ ଅପରାଧ ସହ ଜଡିତ ଲୋକଙ୍କୁ ଗିରଫ କରାଯାଇଛି। ଏହାକୁ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି’’ ବୋଲି ଷ୍ଟାଲିନ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *