ପଦ୍ମ ଧରିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି ସୁଜିତ କୁମାର । ଏହି ଅବସରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମର ମଧ୍ୟ ଉପସ୍ଥିତ ଥିଲେ । ଆଜି ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି । କିନ୍ତୁ ସୁଜିତ କୁମାରଙ୍କ ବିଜେଡିରୁ ଇସ୍ତଫା ପତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଅନ୍ୟପଟେ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ଦେଇଛନ୍ତି ସୁଜିତ କୁମାର। ସେ କହିଛନ୍ତି ବିଜେଡିରେ ବହୁ ଦୁର୍ନିତି ହେଉଛି । କଳାହାଣ୍ଡିରେ ଅନେକ ଦୁର୍ନୀତି ହୋଇଛି । କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି। ଏହି ଦୁର୍ନୀତିରେ ଅଫିସର ଓ ବିଜେଡି ନେତା ସାମିଲ ଥିଲେ । ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ବହୁ ଦୁର୍ନୀତି କରୁଛନ୍ତି ବିଜେଡି ନେତା। ଏନେଇ ମୁଁ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇଥିଲି କିନ୍ତୁ ହେଲେ କୌଣସି ସୁଫଳ ମିଳି ନଥିଲା। ମତେ ମାରିଦେବା ସହ ମୋ ରାଜନୈତିକ ଜୀବନ ନଷ୍ଟ କରିଦେବେ ବୋଲି ଧମକ ଦେଉଥିଲେ କିଛି ନେତା । ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ମୋତେ ବାଧ୍ୟ କରାଯାଉଥିଲେ। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା ହେଉଥିଲା ।କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । କିଛି ବଡ଼ କହୁଥିବା ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ । ସେମାନଙ୍କ ଗୋଲାମୀ, ଚାମଚାଗିରି କରିବାକୁ କହୁଥିଲେ । କିନ୍ତୁ ମୁଁ ବିଦେଶରୁ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା । ପ୍ରାୟ ୨ବର୍ଷ ହେଲା ମୁଁ ଦଳରେ ଅଣନିଃଶ୍ୱାସ ହୋଇଥିଲି । ମୁଁ ଲୋକଙ୍କ ପାଇଁ କାମ କରୁଛି ଏବଂ କରୁଥିବି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତବିକାଶ ଆହ୍ବାନ ମୋତେ ଖୁବ୍ ପ୍ରଭାବିତ କରିଛି। ସେଥିପାଇଁ ମୁଁ ବିଜେପିରେ ମିଶିଲି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି। ସୂଚନଯୋଗ୍ୟ; ୨୦୨୦ରେ ସୁଜିତ୍ କୁମାରଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେଡି । ରାଜ୍ୟସଭା ବିଜେଡି ସାଂସଦ ଥୁବା ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ଯାଏଁ ଥିଲା । କିନ୍ତୁ ଏହା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । Post navigation ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ