ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା । ପ୍ରଦର୍ଶନୀ ପଡିଆରେ ନଭେମ୍ବର ୧ରୁ ୧୨ ଯାଏ ଚାଲିବ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମ । ଏହାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ମେଳାରେ ଭାଗ ନେବେ ରାଜ୍ୟର ୩୦୦ରୁ ଅଧିକ ମହିଳା ସ୍ବୟଂସହାୟକ ଗୋଷ୍ଠୀ । ଏଥିରେ ଓଡ଼ିଶା ବ୍ୟତୀତ ଆଉ ୧୧ଟି ରାଜ୍ୟର ମହିଳାମାନଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଜି ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ ସମ୍ମାନ ଜଣାଇ ମିଶନ ଶକ୍ତି ବିଭାଗ ଆୟୋଜନ କରୁଛି ସୁଭଦ୍ରା ଶକ୍ତି ମେଳା-୨୦୨୫। ଆସନ୍ତା ୧ ରୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍–୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ସୁଭଦ୍ରା ଶକ୍ତି ମେଳା, ୨୦୨୫-୨୬ ଅନୁଷ୍ଠିତ ହେବ। ଏହି ମେଳାରେ ୫୦ଟି ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି। ଦେଶର ୧୧ଟି ଅନ୍ୟାନ୍ୟ ରାଜ୍ୟ ଯଥା ପଞ୍ଜାବ, ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ବିହାର, ଆସାମ, ପଶ୍ଚିମ ବଙ୍ଗ, ଛତିଶଗଡ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ ଗୋଆରୁ ନିମନ୍ତ୍ରିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ। ସେ ଆଉ ମଧ୍ୟ କହିଛନ୍ତି ୧୨ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ଅନୁଭବ କରିବେ ଓଡ଼ିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପାରିକ ସ୍ଵାଦର ଅନୁପମ ସଂଗମ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଦେଖିବାକୁ ମିଳିବ ଓଡିଶୀ ନୃତ୍ୟ, ଛଉ, ଗୀତି ନାଟ୍ୟ, ମଲଖମ୍ବ, ଗୋଟିପୁଅ, ରଣପା, ସମ୍ବଲପୁରୀ ନୃତ୍ୟ, ପୁରୀର ଯୋଡି ଶଙ୍ଖ ନୃତ୍ୟ, ବିହୁ, ସଂଗୀତ ସନ୍ଧ୍ୟା ଏବଂ ପାଲା ଇତ୍ୟାଦି। ପ୍ରଥମଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍ ସୋ ଆୟୋଜିତ ହେବାକୁ ଯାଉଥିବା ବେଳେ, ଦର୍ଶକ ମାନେ ୫୦ଟି ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲରେ ମିଲେଟ୍ ଭିତ୍ତିକ ସ୍ଵାସ୍ଥ୍ୟକର ଖାଦ୍ୟ ସହିତ ବିବିଧ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଭୋଗ କରିପାରିବେ। Post navigation CBSE Exam: ଫେବ୍ରୁଆରୀ ୧୭ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା Mumbai Hostage Case: ମୁମ୍ବାଇ ମୁଣ୍ଡଜାମିନ ଘଟଣା: ୧୭ ପିଲା ସୁରକ୍ଷିତ ଉଦ୍ଧାର