ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଠାରେ ପ୍ରକାଶ ଥାଉକି ଚଳିତ ମାସ ଜାନୁଆରୀ ୨୦ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଚଳିତ ଖରିଫ୍ ବର୍ଷ ୨୦୨୪-୨୫ ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସମୀକ୍ଷା ବୈଠକରେ ୧୧ ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଅବିଳମ୍ବେ ମଣ୍ଡି ରୁ ଧାନ ଉଠାଇବାକୁ ତାଗିଦ୍ କରାଯାଇଅଛି । ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଅଛି । Post navigation ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର