୧୯୯୯ ମସିହାରେ କେନ୍ଦୁଝରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ ଦାରା ସିଂହଙ୍କ କ୍ଷମା ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇକୁ ଜବାବ ମାଗିଛନ୍ତି । ୨୦୦୩ରେ ସିବିଆଇ ଅଦାଲତ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଏହାର ଦୁଇବର୍ଷ ପରେ ଓଡ଼ିଶା ହାଇକୋର୍ଟ ତାଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହାକୁ ୨୦୧୧ରେ ସର୍ବୋଚ୍ଚ ନ୍ୟାୟାଳୟ ବଜାୟ ରଖିଥିଲେ। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଜରିଆରେ ଦାଖଲ ହୋଇଥିବା ଆବେଦନରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଦିଆଯାଇଥିବା କ୍ଷମା ବାବଦରେ ଉଲ୍ଲେଖ କରି ଶ୍ରୀ ସିଂହ ଗତବର୍ଷ ଜୁଲାଇ ମାସରେ ରାଜ୍ୟର ଏକ ଜେଲରୁ ତାଙ୍କୁ ମୁକ୍ତି ଦେବା ପାଇଁ ଅଧିକ ଉଦାର କ୍ଷମା ନୀତି ପ୍ରୟୋଗ କରିବାକୁ ଅନୁରୋଧ କରିଥିଲେ। ସିବିଆଇକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ତଦନ୍ତକାରୀ ଏଜେନ୍ସି ହୋଇଥିବାରୁ ସିବିଆଇକୁ ଦ୍ବିତୀୟ ଉତ୍ତରଦାତାଭାବେ ଘୋଷଣା କରିଛନ୍ତି । ଏହି ମାମଲାର ଶୁଣାଣି ବେଳେ ସୂପ୍ରିମକୋର୍ଟ ଓଡି଼ଶା ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ବରିଷ୍ଠ ଆଇନ ଅଧିକାରୀ ଶିବାଶିଷ ମିଶ୍ର ଦୋଷୀଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷ ବିଚାର କରିବା ଉଚିତ ବୋଲି ଦର୍ଶାଇ ଜବାବ ଦାଖଲ ପାଇଁ ଆଉ ଦୁଇସପ୍ତାହ ସମୟ ମାଗିଥିଲେ। ୫ଟି କମିଟି ଦୋଷୀ ସିଂହଙ୍କୁ ମୁକ୍ତି ଦେବା ପାଇଁ କାର୍ଯ୍ୟ କରୁଛି । ଏହି କମିଟିର ସଦ୍ୟତମ ରିପୋର୍ଟ ୨୦ ଫେବୃଆରୀ ୨୦୨୩ର ବୋଲି ସେ କୋର୍ଟଙ୍କୁ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଦୋଷୀ ଛାଡ଼ ସମ୍ପର୍କିତ ସମସ୍ତ ୫ଟି କମିଟିର ନିଷ୍ପତ୍ତି ସେ କୋର୍ଟରେ ଉପସ୍ଥାପନ କରିବେ। Post navigation ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ ସମସ୍ତ ମାମଲାରୁ ଦୋଷମୁକ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ