ଆରବିଆଇ ଦେବ କି ବଡ଼ ଉପହାର ? ଜିଏସଟି ସଂସ୍କାର ପରେ ଗତ ୨୨ତାରିଖରୁ ପାଳନ ହେଉଛି ଦେଶରେ ସଂଚୟ ଉତ୍ସବ। ଏବେ କେବଳ ଜିଏସଟିର ଦୁଇଟି ସ୍ଲାବ୍ ରହିଛି । ଅନେକ ଖାଦ୍ୟ ପାନୀୟ, ନିତ୍ୟ ବ୍ୟବହୃତ ସାମଗ୍ରୀ, କାର୍, ବାଇକ, ଟ୍ରାକ୍ଟର ଅନ୍ୟ କୃଷି ଉପକରଣର ଦର ହ୍ରାସ ପାଇଛି। ପାର୍ବଣ ଅବସରରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ବଡ଼ ଭେଟି ଦେଇଥିଲାବେଳେ ସୋମବାର ଠାରୁ ଆରମ୍ଭ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମିତି ବୈଠକ। ମୁମ୍ବାଇରେ ତିନି ଦିବସୀୟ ବୈଠକ ଆରମ୍ଭ ହୋଇଥିଲାବେଳେ ବୁଧବାର ସକାଳ ୧୦ଟାରେ ଆରବିଆଇ ଗଭର୍ଶର ସଂଜୟ ମାଲହୋତ୍ରା ବୈଠକର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ଗୁରୁବାର ଦଶହରା। ତେଣୁ ପାର୍ବଣର ମାହୋଲକୁ ଆହୁରି ଖୁସି କରିବା ପାଇଁ ଆରବିଆଇ ନିଷ୍ପତ୍ତି ନେବ କି ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ବର୍ତ୍ତମାନର ଅର୍ଥନୈତିକ ସ୍ଥିତିରେ କେଉଁ ପଦକ୍ଷେପ ନେଲେ ତାହା ଠିକ୍ ରହିବ ତା’ଉପରେ ଆରବିଆଇ ଏହି ୬ଜଣିଆ କମିଟି ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଆଲୋଚନାରେ ଦେଶର ଅଭିବୃଦ୍ଧି, ଦରବୃଦ୍ଧି ହାର ଏବଂ ବିଶ୍ବର ଅନ୍ୟ ଦେଶମାନଙ୍କର ଆର୍ଥିକ ନିଷ୍ପତ୍ତିକୁ ଗୁରୁତ୍ବ ଦିଆଯିବ । କାରଣ ବିଶ୍ୱ ବଜାରର ପରିସ୍ଥିତି, ନୀତିନିର୍ଦ୍ଧାରଣ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିଥାଏ । ଯଦିଓ କିଛିବର୍ଷ ଧରି ଭାରତ ବିଶ୍ଵର ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ରର ମାନ୍ୟତା ପାଇଚାଲିଛି ତଥାପି କେତେବେଳେ କେଉଁ ଅର୍ଥନୈତିକ ପରିସ୍ଥିତି ଭିନ୍ନ ଦିଗକୁ ମୁହାଁଇବ ତାହା କୁହାଯାଇନପାରେ। ଏହି ଆଶା ରହିଛି ଯେ, ଆମେରିକାର ଶୁଳ୍କ ଏବଂ କମ୍ ମହଙ୍ଗା ଦରକୁ ଦେଖି ଆରବିଆଇ ରେପୋରେଟକୁ ଅପରିବର୍ତ୍ତିତ ରଖିପାରେ। ବର୍ତ୍ତମାନ ସମୟରେ ରେପୋରେଟ୍ ୫.୫୦% ରହିଛି। ଚଳିତ ବର୍ଷରୁ ଅଦ୍ୟାବଧି ଆରବିଆଇ ୧% ରେପୋରେଟ୍ ହ୍ରାସ କରିସାରିଲାଣି। ଫେବୃଆରୀରେ ୦.୨୫%, ଏପ୍ରିଲରେ ୦.୨୫% ଏବଂ ଜୁନ୍‌ରେ ହ୍ରାସ ହୋଇଛି ୦.୫୦% ରେପୋରେଟ୍।

ଜିଏସଟିରେ ସୁଧାର ପରେ ବଜାର ଏବେ ଚଳଚଞ୍ଚଳ । ଲୋକଙ୍କ ହାତରେ ଅଧିକ ସଂଚୟ ରହୁଥ‌ିବା କାରଣରୁ କିଣାବିକା ବଢ଼ିବାର ସମ୍ଭାବନା ରହିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବଜାରରେ ଚାହିଦା ବୃଦ୍ଧି ଆରମ୍ଭ ହୋଇସାରିଲାଣି। ଆସନ୍ତା ସପ୍ତାହରେ ଦେଶର କମ୍ପାନୀମାନ‌ଙ୍କ ପକ୍ଷରୁ ତ୍ରୟୋମାସିକ ଫଳାଫଳ ଜାରି କରାଯିବ। ସେତେବେଳେ ଏହା ସ୍ପଷ୍ଟ ହୋଇଯିବ ଜିଏସଟି ଦର ସଂଶୋଧନର ପ୍ରଭାବ କେତେମାତ୍ରାରେ ପଡ଼ିଛି। ତେବେ ଏହା ସତ ଯେ, ଆରବିଆଇ ପାଇଁ ବର୍ତ୍ତମାନ ସମୟରେ ଅଭିବୃଦ୍ଧି ହାର ଚିନ୍ତାର ବିଷୟ ହୋଇରହିନାହିଁ। ସେହିପରି ମୁଦ୍ରାସ୍ପିତି ମଧ୍ୟ କିଛିମାତ୍ରାରେ ନିୟନ୍ତ୍ରଣ ରହିଛି। ତେଣୁ ବୈଠକରେ ଯଥାସମ୍ଭବ ରେପୋରେଟ୍ ହ୍ରାସ ପାଇଁ ବର୍ତ୍ତମାନ ସମୟରେ ମଧ୍ୟ ସହମତି ପ୍ରକାଶ ପାଇନପାରେ। ସରକାର ବଜାରକୁ ଚଳଚଞ୍ଚଳ କରିବା ପାଇଁ ପୂର୍ବରୁ ଆୟକର ରିହାତି ଘୋଷଣା ବଜେଟରେ କରିଥିଲା ବେଳେ ନିକଟରେ ଜିଏସଟି ଦରକୁ ହ୍ରାସ କରିଛନ୍ତି। ସେହିପରି ଭିତ୍ତିଭୂମି କ୍ଷେତ୍ରରେ ନିବେଶ ସହ ବ୍ୟାପକ ପ୍ରୋତ୍ସାହନ ମଧ୍ଯ ଦେଉଛନ୍ତି। ଏହି ପଦକ୍ଷେପ ବଜାରକୁ ଆଗକୁ ନେଉଥିଲାବେଳେ ଆରବିଆଇ ୱେଟ୍ ଆଣ୍ଡ ୱାଚ୍ ପଲିସିକୁ ଆପଣାଇପାରେ। ଅର୍ଥାତ୍ ଏବେ ଦରକୁ ଅପରିବର୍ତ୍ତିତ ରଖିବା ଦିଗରେ ପଦକ୍ଷେପ ନେଇପାରେ। ଆରବିଆଇ ସମିତିର ନଜର ନିଶ୍ଚିତ ରହିବ ଆସନ୍ତା କିଛିମାସ ମଧ୍ୟରେ ଦେଶର ଆର୍ଥିକ ଅଭିବୃଦ୍ଧି, ଦରବୃଦ୍ଧି ଏବଂ ରାଜକୋଷର ସ୍ଥିତି ଉପରେ। ପରିସ୍ଥିତିକୁ ଦେଖି ଆରବିଆଇ ପଦକ୍ଷେପ ନେଉଥିବାରୁ ଆଶା ଏମପିସି ପାଇଁ ରେପୋରେଟ ଅପରିବର୍ତ୍ତିତ ରଖିବା ନିଷ୍ପତ୍ତି ଗୁରୁତ୍ବ ଦେଇପାରେ। ଅନ୍ୟପଟେ ଏହି ଚିନ୍ତା ମଧ୍ୟ ଅଛି ଟ୍ରମ୍ପଙ୍କ ଦ୍ବାରା ଲଗାଯାଇଥିବା ଶୁଳ୍କ ବିଶ୍ବର ଅଭିବୃଦ୍ଧିକୁ ଧିମା କରିପାରେ, ଭାରତର ରପ୍ତାନୀ ଏବଂ ରୋଜଗାର କ୍ଷେତ୍ରକୁ ପ୍ରଭାବିତ ମଧ୍ଯ କରିପାରେ। ତେଣୁ ଏହି ତିନିଦିନିଆ ବୈଠକକୁ ଆଦୌ ହାଲୁକାରେ ନିଆଯାଇନପାରେ। ଆଶା କିଛି ବଡ଼ ନିଷ୍କର୍ସ ବାହାରିପାରେ ବୈଠକରୁ।

Leave a Reply

Your email address will not be published. Required fields are marked *