ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ସୋସିଆଲ ମିଡ଼ିଆରେ ଟ୍ୱିଟ କରି ରାଷ୍ଟ୍ରପତି କହିଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉତ୍ତମ ମହାନ୍ତିଙ୍କ ବିୟୋଗ ସମ୍ବାଦ ଜାଣି ମୁଁ ମର୍ମାହତ । ଶ୍ରୀ ମହାନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରର ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଜଣେ ମିଷ୍ଟଭାଷୀ ଓ ଅମାୟିକ ଭଦ୍ରବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ପରିବାରବର୍ଗ ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି । ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ; ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ କଲେଜ ପଢ଼ିବା ସମୟରେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ୧୯୭୭ ମସିହାରେ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସେ ପାଦ ଥାପିଥିଲେ ।ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଉତ୍ତମ ମହାନ୍ତିଙ୍କୁ ୧୯୯୯ରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅନେକ ଥର ଶ୍ରେଷ୍ଠ ଅଭିନେତା ଓ ସହ ଅଭିନେତା ଭାବେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। Post navigation ଭୁବନେଶ୍ୱର ବାସଭବନରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ