ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ ଆୟୋଜନ କରାଯାଇଥିଲା। ଏହି ସମାହାରରେ ସାହସିକତା ପାଇଁ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ନୌସେନାରେ କାର୍ଯ୍ୟରତ ଅଛନ୍ତି ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା।

ଗତକାଲି ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସେନାବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଅଦମ୍ୟ ସାହସ, ଉଲ୍ଲେଖନୀୟ ବୀରତ୍ବ ଏବଂ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ପାଇଁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ୧୦ ଟି କିର୍ତ୍ତୀ ଚକ୍ର, ୨୬ ଟି ସୌର୍ଯ୍ୟଚକ୍ର ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଥିମଧ୍ୟରୁ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସାହସିକତା ପାଇଁ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି।

ସୂଚନଯୋଗ୍ୟ, ୨୦୨୩ ମାର୍ଚ୍ଚ ୧୨ ତାରିଖରେ ଓଏନଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେସନାଲ୍ ଏମର୍ଜେନ୍ସୀ ନେଇ ରିପୋର୍ଟ କରିଥିଲା। ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏଥିପାଇଁ ଲୋଡ଼ିଥିଲା ଭାରତୀୟ ନୌସେନାର ସହାୟତା । ଜଣେ ଲିଡ୍ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା । ଯେଉଁଠି ଜାହାଜ ଫସିଥିଲା ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ତଥାପି ଡାଇଭିଂ ଅପରେସନରେ ଯାଇଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା । ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା। ସଫଳତାର ସହ ଜାହାର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ୧୦୦ ଫୁଟ୍ ପାର କରି ଟରେଷ୍ଟ ଏରିଆରେ ପହଞ୍ଚିଥିଲେ। ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନ କରି ଯେଉଁ ବୀରତା ଦେଖାଇଥିଲେ ସେଥିପାଇଁ ଲେଫେଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସମ୍ମାନଜନକ ସୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *