ରାଜ୍ୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୋଲିସର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର  ।

୧୯୭୭ ମସିହା ବ୍ୟାଚର ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ପ୍ରକାଶ ମିଶ୍ର ୨୦୧୨-୨୦୧୪ ଯାଏଁ ପୋଲିସ ଡିଜି ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୨୦୧୪-୧୬ ସେ ସିଆରପିଏଫ୍ ଡିଜିଭାବେ ନିଯୁକ୍ତି ପାଇଥିଲେ ।

୨୦୧୬ରେ ସେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହୋଇଥିଲା ।

ସେହିପରି ୧୯୯୧ ବ୍ୟାଚର ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତଭାବେ ନିଯୁକ୍ତି ପାଇଛନ୍ତି ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ । ଆଦିତ୍ୟ ପାଢ଼ୀଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେବେ ରାଜ୍ୟ ସରକାର ଆଜି ଦୁଇ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଉଭୟ ବହୁତ ଦକ୍ଷ ଅଧିକାରୀ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି ।

ଦୀର୍ଘ ବର୍ଷର କ୍ୟାରିୟରରେ ମଧୁସୂଦନ ପାଢ଼ୀ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ପରିବହନ ସମେତ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରିଛନ୍ତି।

 

Leave a Reply

Your email address will not be published. Required fields are marked *