ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ୯୨ ବର୍ଷ ବୟସରେ ହୋଇଛି । ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ପାର୍ଥିବ ଶରୀର ଦିଲ୍ଲୀର ମୋତିଲାଲ ନେହରୁ ରୋଡ ସ୍ଥିତ ଆବାସରେ ରଖାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟୟୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଡ. ମନମୋହନ ସିଂଙ୍କ ପରି ବ୍ୟକ୍ତିତ୍ୱଙ୍କ ନିଧନରେ ସାରା ଦେଶରେ ଶୋକର ଲହରି ଖେଳି ଯାଇଛି। ସ୍ବର୍ଗତଃ ସିଂହ ସାଧାରଣ ପୃଷ୍ଠଭୂମିରୁ ଆସି ଜଣେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ହୋଇଥିଲେ। ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦରେ କାର୍ଯ୍ୟ କରି ବର୍ଷ ବର୍ଷ ଧରି ଦେଶର ଅର୍ଥନୀତିରେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ିଛନ୍ତି।

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ କଂଗ୍ରେସର ମୁଖ୍ୟାଳୟକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ଅନ୍ତିମ ସଂସ୍କାର ରାଜଘାଟ ପାଖରେ ହେବ ।

ସୂଚନାଯୋଗ୍ୟ, ମନମୋହନ ସିଂ ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସ ନିଜର ପ୍ରେସ ବିବୃତିରେ କହିଛି ଯେ, ମନମୋହନ ସିଂ ଡିସେମ୍ବର ୨୬ରେ ଘରେ ଅଚାନକ ଅଚେତ ହୋଇ ପଡିଥିଲେ । ତାଙ୍କୁ ରାତି ୮ଟା ୬ରେ ଏମ୍ସର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଶତ ଚେଷ୍ଟା ପରେ ବି ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ। ଆଉ ରାତି ୯ଟା ୫୧ ମିନିଟରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *