ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ପକ୍ଷରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ତାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଜଡିତ ଦସ୍ତାବିଜ ଫେରାଇବାକୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟୀର ସଦସ୍ୟ ରିଜଓ୍ବାନ କାଦରୀ ସୋମବାର କହିଛନ୍ତି ଯେ, ୨୦୦୮ରେ ଉପାଶାସନ ସମୟରେ ୫୧ଟି ବାକ୍ସରେ ଭରି ନେହରୁଙ୍କ ବ୍ୟକ୍ତିଗତ ଚିଠି ସବୁକୁ ସୋନିଆ ଗାନ୍ଧୀଙ୍କ ନିକଟରେ ପହଞ୍ଚାଯାଇଥିଲା । ତେଣୁ ସେହି ଚିଠିଗୁଡିକୁ କଂଗ୍ରେସ ନେତା ଫେରସ୍ତ କରନ୍ତୁ ଅବା ସେଗୁଡିକୁ ସ୍କାନ କରିବାକୁ ଅନୁମତି ଦିଆଯାଉ । କାରଣ ଏହି ଦସ୍ତାବିଜଗୁଡିକ ପୂର୍ବରୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମର ଅଂଶ ହୋଇରହିଥିଲା । ଗତ ସେପ୍ଟେମ୍ବର ମାସରେ ମୁଁ ସୋନିଆ ଗାନ୍ଧୀଙ୍କୁ ଉକ୍ତ ଚିଠିଗୁଡିକୁ ଫେରାଇବା ପାଇଁ ଚିଠି ଲେଖିଥିଲି । ହେଲେ ତାଙ୍କଠାରୁ କୌଣସି ଜବାବ ନମିଳିବା ପରେ ଏବେ ମୁଁ ରାହୁଲଙ୍କୁ ଚିଠି ଲେଖିଛି ବୋଲି ରିଜଓ୍ୱାନ କହିଛନ୍ତି । ଗତ ଡିସେମ୍ବର ୧୦ରେ ରାହୁଲ ଗାନ୍ଧୀଙ୍କୁ ରିଜଓ୍ବାନ ଚିଠି ଲେଖିଥିଲେ ହେଁ ସେବିଷୟରେ ତଥ୍ୟ ଏବେ ସାମ୍ନାକୁ ଆସିଛି ।
ରିଜଓ୍ୱାନ ଯେଉଁ ୫୧ ବାକ୍ସର କଥା କହୁଛନ୍ତି, ସେଥିରେ ନେହେରୁଙ୍କ ସେହିସବୁ ଚିଠି ରହିଛି, ଯାହା ସେ ଏଡଓ୍ବାନା ମାଉଣ୍ଟବେଟେନ, ଆଲବର୍ଟ ଆଇନଷ୍ଟାଇନ, ଜୟପ୍ରକାଶ ନାରାୟଣ, ପଦ୍ମଜା ନାୟଡ଼ୁ, ବିଜୟଲକ୍ଷ୍ମୀ ପଣ୍ଡିତ, ଅରୁଣା ଆସଫ ଅଲୀ, ବାବୁ ଜଗଜୀବନ ରାମ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ ଲେଖିଥିଲେ । ୧୯୭୧ ମସିହାରେ ପ୍ରଧାନମନ୍ତ୍ରୀ ମ୍ୟୁଜିୟମକୁ ନେହେରୁଙ୍କ ଏସବୁ ଚିଠି ଦିଆଯାଇଥିଲା । ତେବେ ନେହରୁ ପରିବାରର ପ୍ରତିନିଧୂଭାବେ ସୋନିଆ ଗାନ୍ଧୀ ୨୦୦୮ରେ ଏହି ଚିଠିଗୁଡିକୁ ଫେରାଇ ନେଇଯାଇଥିଲେ । ଥରେ ଦାନ କରାଯାଇଥିବା ସମାଗ୍ରୀ ଫେରାଇ ନିଆଯାଏ ନାହିଁ । ତଥାପି ସେମାନେ ନେଇଯାଇଥିଲେ । ଏହା ପଛର କାରଣ ବି ମ୍ୟୁଜିୟମକୁ ବତାଯାଇନଥିଲା । ଆମେ ଚାହୁଁଛୁ ଯେ, ଏହି ଚିଠିଗୁଡିକ ସୁରକ୍ଷିତ ରହୁ । ଏହାସହିତ ଯେପରି ହେରଫେର ହୋଇନଥିବ ତାହା ସୁନିଶ୍ଚିତ କରିବାକୁ ଏହାର ଫରେନସିକ୍ ଅଡିଟ୍ କରାଯାଉ ବୋଲି ରିଜଓ୍ୱାନ କହିଛନ୍ତି ।