ପଦ୍ମଶ୍ରୀ କମଳା ପୂଜାରୀଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ବାର୍ଦ୍ଧକ୍ୟତା କାରଣରୁ ଅନେକ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହୁନଥିଲା । ଏହାସହିତ ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ରହିଥିଲା । ତେବେ ଅସୁସ୍ଥ ହେବା ପରେ ଗତ ୧୮ ତାରିଖରୁ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ । ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସସିବିର ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ । ସେଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

କମଳା ପୂଜାରୀ କୋରାପୁଟର ଜିଲ୍ଲାର ପାତ୍ରପୁଟ ଗ୍ରାମର ଜଣେ ଆଦିବାସୀ ମହିଳା ଯିଏ ନିଜର ଜୈବିକ କୃଷି ପଦ୍ଧତି ପାଇଁ ବେଶ ପରଚିତ ଥିଲେ । ସେ ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିପାରିଥିଲେ । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

ତାହା ସହିତ ସେ ନିଜ କୃଷି ପାଇଁ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସେଗୁଡିକ ହେଲା ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ “Equator Initiative Award” ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ “କୃଷି ବିଶାରଦ” ସମ୍ମାନରେ ସମ୍ମାନିତ କରଯାଇଥିଲି । ଏହା ସହିତ କୃଷି ସମ୍ମାନ,ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ତାଙ୍କୁ ମିଳିଥିଲା ।

ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ମଧ୍ୟ ନାମିତ କରାଯାଇଛି ।

ଅନ୍ୟପଟେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବର୍ଗତ ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତ୍ବନା ଦେଇଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *