ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଥିବା ଜଣଙ୍କ ଘରୁ ସିମ୍‌ ବକ୍ସ ଜବତ ଘଟଣାରେ ବଡ଼ ଖୁଲାସା କଲା କମିସନରେଟ ପୋଲିସ । କମିଶନର ସଞ୍ଜୀବ ପଣ୍ଡା ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଜବତ ହୋଇଥିବା ଏହି ସିମ ବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ କରାଯାଉଥିଲା । ଏହା ସାଇବର ଫ୍ରଡ୍‌, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ କିନ୍ତୁ ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ଜଣାପଡ଼ିନି । ଏହା ଏକ ସାଂଘାତିକ ଘଟଣା ହୋଇଥିବା ବେଳେ ଏଥିରେ ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି। ମାତ୍ର ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଆଶାଦ୍ଦୁର ଜମାନ, ସେ ଜଣେ ବାଂଲାଦେଶୀ ନାଗରିକ । ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରୁଥିଲା । ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ । କେଶୁରାରେ ଭଡ଼ା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ। ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା।

ସେ ଆଉ ମଧ୍ୟ କହିଛନ୍ତି ଅପରାଧୀଜଣକ ବିଦେଶୀ ହୋଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଯିବ । ଆବଶ୍ୟକ ସ୍ଥଳେ ଇଣ୍ଟରପୋଲର ବି ସାହାଯ୍ୟ ନିଆଯିବ ।

ସୂଚନା ଅନୁସାରେ, ଗତକାଲି ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଜଣେ ସନ୍ଦିଗ୍ଧଙ୍କ ଘରୁ ୭ଟି ସିମ୍‌ବକ୍ସ ଠାବ କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡ । ଲକ୍ଷ୍ମୀସାଗର ଅଂଚଳରେ ଜଣେ ବ୍ୟକ୍ତି ଘର ଭଡ଼ା ନେଇ ସପ୍ତାହକୁ ଥରେ ମାତ୍ର ଘରକୁ ଆସି କିଛି ସମୟ ପରେ ପୁଣି ପଳାଉଥିଲା। ତାଙ୍କ ଚାଲି ଚଳଣକୁ ସନ୍ଦେହ କରି କିଛି ସ୍ଥାନୀୟ ଲୋକେ କମିଶନରେଟ୍‌ ପୋଲିସରେ ସୂଚନା ଦେଇଥିଲେ। ତା’ପରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡକୁ ନେଇ ସ୍ୱତନ୍ତ ଟିମ୍‌ ଗଠନ କରାଯାଇ ଉକ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିଲା। ଗତକାଲି ଅଭିଯୁକ୍ତ ଘରେ ଥିବା ବେଳେ ପୋଲିସ ଚଢାଉ କରି ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହ ୭ଟି ସିମ୍‌ବକ୍ସ ଜବତ କରିଥିଲା । ୭ଟା ସିମ୍‌ ବକ୍ସରେ ୫୦୦ରୁ ଅଧିକ ସିମ୍‌ ଲାଗିଥିଲା।

Leave a Reply

Your email address will not be published. Required fields are marked *