ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡା, ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର । ଆମେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ । ଆୟୁଷ୍ମାନ ଭାରତ ମନ୍ଦିରରେ ରହିବେ ଜଣେ ଯୋଗ ଶିକ୍ଷକ । ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ । ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଓଡ଼ିଶାର ୮୬ ପ୍ରତିଶତ ଲୋକ ଲାଭାନ୍ୱିତ ହେବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅଭିଯାନ ଆଗାମୀ ଦିନରେ ଶିଖରକୁ ଛୁଇଁବ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି । ୩ଟି ରାଜ୍ୟ ରାଜନୈତିକ ହୀନମନ୍ୟତା ପାଇଁ ଲାଗୁ କରି ନଥିଲେ । ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ, ଶେଷରେ ଏହା ଲାଗୁ ହେବାକୁ ଯାଉଛି ।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ବିରୋଧୀଦଳରେ ଥିଲା ବେଳେ ଲାଗୁ କରିବାକୁ ଦାବି କରିଥିଲୁ । କିନ୍ତୁ ତତ୍କାଳୀନ ସରକାର ଲାଗୁ କରି ନ ଥିଲେ । ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କଲୁ । ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକାର ପାଇବେ । ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ । ଦେଶର ୩୦ ହଜାର ହସ୍ପିଟାଲ୍‌ରେ ସୁବିଧା ମିଳିବ । ଏହା ଦ୍ୱାରା ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧାର ଲାଭ ଉଠାଇପାରିବେ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।

ସୂଚନା ଯୋଗ୍ୟ; ଓଡ଼ିଶାରେ ଆୟୁଷ୍ମାନ ଲାଗୁ ହେଲେ ରାଜ୍ୟ ପ୍ରାୟ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ଯୋଗ୍ୟ ପରିବାର ସ୍ବାସ୍ଥ୍ୟ ସେବାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ । ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେରସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଦେଶରେ ଯେ କୌଣସି ସ୍ଥାନରେ, ଏମପ୍ୟାନେଲଡ ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି ଯୋଜନାର ସୁବିଧା ଉପଲବ୍ଧ। ଅର୍ଥାତ ଦେଶର ଯେ କୌଣସି ସ୍ଥାନରୁ ଲେକେ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇ ପାରିବେ। ଘରୋଇ ହସ୍ପିଟାଲ ଭଲି ସରକାରୀ ହସ୍ପିଟାଲଗୁଡିକୁ ମଧ୍ୟ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚର ଭରଣା କରିବେ ସରକାର ।

Leave a Reply

Your email address will not be published. Required fields are marked *