ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଏହି ନାମକରଣକୁ ଅନୁମୋଦନ କରିଛନ୍ତି । ୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ରାଜ ଭବନ ମାନଙ୍କର ନାମକୁ ‘ଲୋକ ଭବନ’ ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟପାଲ ଡ. କମ୍ଭମପତି କହିଛନ୍ତି ଯେ ନୂତନ ନାମକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ସୁଦୃଢ଼ ଜନସଂଯୋଗ ଏବଂ ଅଂଶଗ୍ରହଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ରାଜ୍ୟପାଳ କହିଛନ୍ତି ଯେ, ‘ଲୋକ ଭବନ’ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ ଅଟେ । ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରିବା, ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସୁନିଶ୍ଚିତ କରିବାର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ । ‘ଲୋକ ଭବନ’ ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଵ । ସମସ୍ତଙ୍କ ପାଇଁ ସୁଗମତା ଉପରେ ଧ୍ୟାନ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି । ଏହି ନାମ ପରିବର୍ତ୍ତନ ସହିତ ଓଡ଼ିଶା ଉପନିବେଶବାଦୀ ନାମଗୁଡ଼ିକରୁ ଦୂରେଇ ଯାଇ ଶାସନ ପାଇଁ ଏକ ଲୋକ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ ଭବନକୁ ‘ ଲୋକ ଭବନ ‘ ଭାବରେ ନାମକରଣ କରିବା ଏକ ମାଇଲଖୁଣ୍ଟ । ଏହା ଗୌରବ, ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଭବିଷ୍ୟତକୁ ପ୍ରତିଫଳିତ କରେ ବୋଲି ରାଜ୍ୟପାଳ କହିଛନ୍ତି । Post navigation Blind Women’s T20 Cricket World Cup: ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ India-SA Barabati T20I: କିଛି ସମୟ ଭିତରେ ସରିଗଲା ବାରବାଟୀ ଅନଲାଇନ୍ ଟିକେଟ୍; ଫ୍ୟାନ୍ ନିରାଶ