ଗୁଣାତ୍ମକ ଔଷଧ ଉତ୍ପାଦନ ଏବଂ ଚିକିତ୍ସା ପାଇଁ ଉନ୍ନତ ମାନର ଡ଼ିଭାଇସ ପ୍ରସ୍ତୁତ କରି ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଫାର୍ମା କେନ୍ଦ୍ର ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରି କହିଛନ୍ତି ।
 
ସୂଚନା ଯୋଗ୍ୟଯେ ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମୁଦାୟ ୬,୨୬୩ କୋଟି ଟଙ୍କାର ୪୫ଟି ବୁଝାମଣା ପତ୍ର (MoU) ସ୍ଵାକ୍ଷରିତ ହୋଇଛି, ଯାହା ରାଜ୍ୟରେ ସମୁଦାୟ ୩୮,୪୦୬ ନିଯୁକ୍ତି ସୃଷ୍ଟି କରିବ । ସେଥି ମଧ୍ୟରୁ ଫର୍ମାସ୍ୟୁଟିକାଲସ ପାଇଁ ୩୨ଟି ବୁଝାମଣାପତ୍ର, ମେଡିକାଲ ଉପକରଣ ପାଇଁ ୧୨ଟି ବୁଝାମଣାପତ୍ର ଏବଂ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ପ୍ରସ୍ତାବ ପାଇଁ ଆଉ ଗୋଟିଏ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ।
Odisha hosts Odisha Pharma Summit 2025
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ (Odisha Pharmaceutical and Medical Devices Policy 2025) ର ଶୁଭାରମ୍ଭ କରିବା ସହିତ ଖୋର୍ଦ୍ଧା ଠାରେ ଗୋଟିଏ ଉତ୍ସର୍ଗୀକୃତ ଫାର୍ମା ପାର୍କ ତଥା ଏକ ମେଡିକାଲ ଡ଼ିଭାଇସେସ୍ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
 
ଫାର୍ମା କ୍ଷେତ୍ର ଉପରେ ଆଲୋକପାତ କରି ସେ କହିଲେ ଯେ ଗତ ଦେଢ଼ ବର୍ଷ ମଧ୍ୟରେ, ଆମେ ରାଜ୍ୟର ଶିଳ୍ପ ନୀତି ଏବଂ ଫାର୍ମା ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଛୁ । ଆମର ଫାର୍ମା ନୀତି ଦେଶର ସର୍ବୋତ୍ତମ ନୀତି ମଧ୍ୟରୁ ଗୋଟିଏ । ନୂଆ ଫାର୍ମା ନୀତିରେ ଗବେଷଣା, ପୁଞ୍ଜି ନିବେଶ, ଭିତ୍ତିଭୂମି ନିର୍ମାଣ, ନିଯୁକ୍ତି ଇତ୍ୟାଦି ଫାର୍ମା କ୍ଷେତ୍ରର ପ୍ରତ୍ୟେକ ଅଂଶକୁ ପ୍ରୋତ୍ସାହନ ଦିଆଯାଇଛି ବୋଲି ସେ କହିଥିଲେ ।
Odisha hosts Odisha Pharma Summit 2025
 
ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ର ନୂତନ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ସହିତ ଗୁଣବତ୍ତା ଏବଂ ମୂଲ୍ୟ ଦୃଷ୍ଟିରୁ, ଓଡ଼ିଶାର ଫାର୍ମା ଉତ୍ପାଦ ବିଶ୍ୱରେ ସବୁଠାରୁ ଆକର୍ଷଣୀୟ ହେବ, ଏବଂ ମେଡ-ଟେକ୍ ଉତ୍ପାଦନରେ ମଧ୍ୟ ଏହା ଓଡ଼ିଶାର ସୁନାମ ହେବ ବୋଲି ସେ କହିଥିଲେ ।
 
ସେ ଆହୁରି କହିଥିଲେ ଯେ ଫାର୍ମା ଶିଳ୍ପ ଯାହା ଆବଶ୍ୟକ କରେ, ରାଜ୍ୟ ତାହା ସମସ୍ତ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଓଡ଼ିଶାର ପରିବେଶ ସମ୍ପୂର୍ଣ୍ଣ ଶିଳ୍ପ ଅନୁକୂଳ। ଯାହା ଶିଳ୍ପ ପାଇଁ ଆବଶ୍ୟକ, ସବୁକିଛି ଓଡ଼ିଶାରେ ଅଛି। ଓଡ଼ିଶାରେ ଦେଶର ସର୍ବାଧିକ ଖଣିଜ ପଦାର୍ଥ, ତିନୋଟି ପ୍ରମୁଖ ବନ୍ଦର, ଦୁଇଟି ବାଣିଜ୍ୟିକ ବିମାନବନ୍ଦର, ୫୭୫ କିଲୋମିଟର ପରିବ୍ୟାପ୍ତ ଉପକୂଳ, ଉନ୍ନତ ରେଳ ଏବଂ ସଡ଼କ ନେଟୱାର୍କ, ଅତିରିକ୍ତ ବିଦ୍ୟୁତ୍, ପର୍ଯ୍ୟାପ୍ତ ଜଳର ଉପଲବ୍ଧତା ସହ ତାଲିମପ୍ରାପ୍ତ ମାନବଶକ୍ତି ମଧ୍ୟ ଅଛି। ଏଣୁ ଓଡ଼ିଶା ପୂର୍ବ ଭାରତର ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
Odisha hosts Odisha Pharma Summit 2025

By Nirvay

Leave a Reply

Your email address will not be published. Required fields are marked *