ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି । ଶତ ପ୍ରତିଶତ ନାମଲେଖା ହାସଲ କରିବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
 
ନୂତନ ଶିକ୍ଷାନୀତି ଅନୁଯାୟୀ ଅଙ୍ଗନବାଡି ଗୁଡିକ ପର୍ଯ୍ୟାୟକ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ ସିଲଟରେ ମା’ ଓ ବାପା ଶବ୍ଦ ଲେଖାଇ ପାଠପଢା ଆରମ୍ଭ କରାଇଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ‘ନିପୁଣ ଓଡିଶା’ ଓ ‘ପଢିବା, ଗଢିବା ଓଡିଶା’ ଅଭିଯାନରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ପିଲାଙ୍କ ପାଇଁ ବିକଶିତ କରାଯାଇଥିବା ବିଷୟବସ୍ତୁ ଆଧାରିତ ଶିକ୍ଷଣୀୟ ସାମଗ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଚିତ୍ରାଙ୍କନ ଷ୍ଟଲକୁ ବୁଲି ଦେଖିବା ସହିତ ପିଲାମାନଙ୍କୁ ପ୍ରଶଂସା କରିଥିଲେ । ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କ ସ୍ୱଅଙ୍କିତ ଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ।
 
ପିଲାମାନଙ୍କୁ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ଶୁଭକାମନା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା । ଗତ ବର୍ଷଠାରୁ ଏହି ପରମ୍ପରାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଛି । ପିଲାଙ୍କ ନାମଲେଖା ହାରକୁ ବ୍ୟାପକ କରିବା ଲକ୍ଷ୍ୟରେ ଆମେ ରାଜ୍ୟରେ ରେକର୍ଡ ସଂଖ୍ୟକ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ ପତ୍ର ଚଳିତ ବର୍ଷ ବଣ୍ଟନ କରିଛୁ ।
 
ରାଜ୍ୟରେ କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତୁ, ତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏହି ଉତ୍ସବ ଆରମ୍ଭ କରିଛୁ । ଶିଶୁର ମନରେ ଶିକ୍ଷାପ୍ରତି ଯେପରି ଭୟ ନୁହଁ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି ହେବ, ଆମେ ସେଥିପାଇଁ ସମସ୍ତ ପଦକ୍ଷେପ ନେଉଛୁ । ଆମର ଲକ୍ଷ୍ୟ ହେଉଛି ଶତ ପ୍ରତିଶତ ନାମଲେଖା ବୋଲି ସେ କହିଥିଲେ । ନୂତନ ଶିକ୍ଷାନୀତି ଅନୁଯାୟୀ ଅଙ୍ଗନବାଡି ଗୁଡିକ ପର୍ଯ୍ୟାୟକ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରିଥାନ୍ତି । ଓଡିଶାର ପ୍ରତିଟି ଶିଶୁ ହେଉଛି ଆମର ଭବିଷ୍ୟତ । ତେଣୁ ଶିକ୍ଷା ହିଁ ପ୍ରକୃତ ସମ୍ପଦ ବୋଲି ଜନସଚେତନତା ସୃଷ୍ଟି କରନ୍ତୁ । ଆମର ଏହି ଶିକ୍ଷା ଅଭିଯାନକୁ ଆପଣମାନେ ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ୟବ୍ୟାପୀ ଏକ ଆନ୍ଦୋଳନରେ ପରିଣତ କରନ୍ତୁ । ଶିକ୍ଷକ ଶକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇ କହିଲେ ଯେ, ପିଲାମାନଙ୍କୁ ନିଜ ପିଲାଭଳି ସ୍ନେହ କରନ୍ତୁ, ସେମାନଙ୍କ ପ୍ରତିଭାକୁ ସଠିକ୍ ଭାବେ ନିରୁପଣ କରି ତା’ର ବିକାଶ ପ୍ରତି ଯତ୍ନବାନ ହୁଅନ୍ତୁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
 
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମାଜସେବୀ ଜଗନ୍ନାଥ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍. ଥିରୁମାଲା ନାୟକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *